Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ପ୍ରସ୍ତୁତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗ ବିଷୟେ ଆଲୋଚନା ଜାରି ରହିଛି। ଏହି ପ୍ରସଙ୍ଗରେ ଦୈନଦିନ ଲାଗି ହେଉଥିବା ପଣା ଭୋଗ ଓ ବର୍ଷ ମଧ୍ୟରେ ପଡୁଥିବା କିଛି ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀମାନଙ୍କରେ ଲାଗି ହେଉଥିବା ପଣାଭୋଗ ବିଷୟରେ ଜାଣିଲେ। ଏବେ ଜାଣିବା ବିଶେଷ ରୀତିନୀତିରେ ପ୍ରସ୍ତୁତ ପଣା ଭୋଗ ବିଷୟରେ। ଅଣସର ସମୟରେ ଦଇତାପତି ସେବକମାନେ ଅଣସର ପଟିଦିଅଁ ଙ୍କ ନିକଟରେ “ସର “ଭୋଗ ଲାଗି କରନ୍ତି। ଏହି ସର ଭୋଗକୁ ନେଇ ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୁତ ଭାବରେ ଏହି ସର ଭୋଗରେ ଜଳ, ଚିନି, କର୍ପୁର ଇତ୍ୟାଦି ମିଶ୍ରିତ କରି ଏକ ବିଶେଷ ପଣା ପ୍ରସ୍ତୁତ କରିଥାନ୍ତି। ଏହି ପଣା ‘ଅଣସର ପଣା’ ଭାବରେ ବିଭିନ୍ନ ଭକ୍ତ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ। ସେହି ପରି ଦଇତାପତି ନିଯୋଗ ପକ୍ଷରୁ ବିଶେଷ ଭାବରେ ପ୍ରସ୍ତୁତ ପଣା, ଯାହାକି ‘ଡାକ ପଣା’ଭାବରେ ପ୍ରସିଦ୍ଧି ଲାଭ କରିଛି ତାହା ଶ୍ରୀମନ୍ଦିର କାର୍ଯ୍ୟଳୟ, ବିଭିନ୍ନ କର୍ମକର୍ତ୍ତା ଓ ଭକ୍ତ ମାନଙ୍କୁ ବିତରଣ କରାଯାଇଥାଏ। ପ୍ରାୟ ୧୪ ଦିନ (ଅଣସର ଅବସରରେ )ଏହି ପଣା ପ୍ରସ୍ତୁତ ହୋଇ ବିତରଣ ହୋଇଥାଏ। ଏହି ପଣା ପାଇଥିବା ଭକ୍ତମାନେ କହିଥାନ୍ତି ସ୍ୱାଦ ଓ ବାସ୍ନା ଦୃଷ୍ଟିରୁ ଅମୃତ ତୁଲ୍ୟ ଅଟେ। ସାଧାରଣ ପଣାଟିଏ ଏଭଳି ଦିବ୍ୟତ୍ୱ ପାଇବା ମହାପ୍ରଭୁଙ୍କ ଦିବ୍ୟ ଲୀଳା ବିଭୁତି ବୋଲି ବିଶ୍ୱାସ କାରାଯାଏ। ଏହି ଦିବ୍ୟ ବିଭୁତି ଯୁକ୍ତ ପଣା କେବଳ ଅଣସର ସମୟ ବ୍ୟତୀତ ଅନ୍ୟଦିନମାନଙ୍କରେ ହୁଏ ନାହିଁ। ସେହିପରି ଆଉ ଏକ ବିଶେଷ ପଣା ଭୋଗ ହେଲା “ଅଧର ପଣା “।

ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଏହି ପଣା ତିନି ରଥ ଉପରେ ଲାଗି ହୋଇଥାଏ। ପୂର୍ବରୁ ଏହା ଆଷାଢ଼ ଶୁକ୍ଳ ଦଶମୀ, ଏକାଦଶୀ ଓ ଦ୍ୱାଦଶୀ ଏହିପରି ତିନି ଦିନ ହେଉଥିଲା, ପରବର୍ତ୍ତୀ ସମୟରେ କେବଳ ଏକାଦଶୀ ଓ ଦ୍ୱାଦଶୀରେ ଅନୁଷ୍ଠିତ ହେଲା। କିନ୍ତୁ ବିଗତ ପ୍ରାୟ ଅଶୀବର୍ଷ ହେଲା ଏହା ନିର୍ଦ୍ଧିଷ୍ଟ ଭାବରେ କେବଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇ ଆସୁଛି
ଆଗାମୀ ଅଧ୍ୟାୟମାନଙ୍କରେ ଏ ବିଷୟରେ ପ୍ରାଞ୍ଜଳ ଆଲୋଚନା ଜାରି ରଖିବା। ଏବେ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି।

ଜାତ ଯେ ହୋଇ ଏ ସଂସାର
ମରଣ ଧ୍ରୁବ ଟି ତାହାର ।
ଶୁଣ ବାଳକେ ମୋ ବଚନ
ସଂସାରେ ଯେବା ବୁଧ ଜନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Comments are closed.