Latest Odisha News

BREAKING NEWS

ଚନ୍ଦ୍ରଯାନ-୩ର ମଜାକ ଉଡାଇବା ପ୍ରକାଶଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖ ଉପରେ ସମସ୍ତଙ୍କ ନଜର । କାରଣ ସେଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ଭାରତ । ଚନ୍ଦ୍ରଯାନ ୩ର ସପ୍ଟ ଲ୍ୟାଣ୍ଡିଂ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ସମୟରେ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ଚନ୍ଦ୍ରଯାନ-୩କୁ ନେଇ ସୋସିଆଲ ମିଡିଆରେ ମଜାକ ଉଡ଼ାଇଛନ୍ତି । ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ସହ ତାଙ୍କ ବିରୋଧରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ବନହଟ୍ଟି ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।

ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ । ଏହି ଅଭିଯୋଗ ହିନ୍ଦୁ ସଙ୍ଗଠନର ନେତାମାନେ କରିଛନ୍ତି । ଏଥିସହ ଅଭିନେତା ପ୍ରକାଶଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କିଛି ଦିନ ହେଲାଣି ଚନ୍ଦ୍ରର ଅନେକ ଫଟୋ ସାମ୍ନାକୁ ଆସିଥିବା ବେଳେ ଏହାକୁ ସମାଲୋଚନା କରି ପ୍ରକାଶ ରାଜ୍ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ସହ ଚା’ ଢ଼ାଳୁଥିବା ଦେଖିବାକୁ ମିଳୁଛି । ଏଭଳି ଫଟୋ ପୋଷ୍ଟ କରି ପ୍ରକାଶ ରାଜ୍ ଲେଖିଛନ୍ତି, ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ । ଏହା ପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ଲେଖିଛନ୍ତି ପ୍ରକାଶ ରାଜ୍ । ତେବେ ଏଭଳି ପୋଷ୍ଟ ପରେ ଏକ୍ସ ବ୍ୟବହାରକାରୀ ପ୍ରକାଶ ରାଜଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସିଂବୀ ପ୍ରକାଶ ରାଜଙ୍କ ଏହି ପୋଷ୍ଟକୁ ଲଜ୍ଜାଜନକ ବୋଲି କହିଥିଲେ ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି ।

Comments are closed.