Latest Odisha News

ଛତିଶଗଡରେ କଂଗ୍ରେସର ଜିତିବା ଚିନ୍ତା, ଉପମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ବଘେଲ

ଭୁବନେଶ୍ୱର: ଛତିଶଗଡରେ ରାଜନୈତିକ ପରିବେଶ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ।

ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେପଟେ ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଛତିଶଗଡରେ ବିଭିନ୍ନ ଗ୍ୟାରେଣ୍ଟି ସହ ମଇଦାନକୁ ଓଲ୍ହାଇଛି।

ସେପଟେ ଶାସନରେ ଥିବା କଂଗ୍ରେସ ମଧ୍ୟ କୌଣସି ସ୍ଥିତିରେ କ୍ଷମତାକୁ ହାତଛଡା କରିବାକୁ ଚାହୁଁନି। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ଦୂର କରିବା ପାଇଁ ନେତୃତ୍ୱ ସମସ୍ତ ଉଦ୍ୟମ କରିଛନ୍ତି। ଏପରିକି କନ୍ଦଳ ଦୂର ପାଇଁ ଖୋଦ ରାଜ୍ୟର ଶୀର୍ଷ ନେତୃତ୍ୱ ମଧ୍ୟ ସମସ୍ତ ରାଗ ଅଭିମାନ ଭୁଲି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ସେଭଳି ଏକ ଉଦାହରଣକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଜୋର ଧରିଛି। ସରଗୁଜାର ଅମ୍ବିକାପୁରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଜନ୍ମଦିନ ପାଳନ ଅବସରରେ ଖୋଦ ବଘେଲ ଉପମୁଖ୍ୟମନ୍ତ୍ରୀ ଟି ଏସ ସିଂଦେଓଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ କେକ କଟାଯିବା ସହ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପରସ୍ପରକୁ କେକ ଖୁଆଇବା ସହ ବଘେଲ ପାଦ ଛୁଇଁ ସିଂଦେଓଙ୍କ ଆଶୀର୍ବାଦ ନେଉଛନ୍ତି।

ଛତିଶଗଡ଼ କଂଗ୍ରେସ ରାଜନୀତିରେ ବଘେଲ ଓ ସିଂଦେଓଙ୍କ ମଧ୍ୟରେ ବିବାଦ କଥା ସମସ୍ତେ ଜାଣନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭରୁ ରହିଛି।

ଏପରିକି ଖାସ ସେଥିପାଇଁ ଅଳ୍ପ କିଛି ଦିନ ତଳେ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ତେଣୁ ଏସବୁ ଭିତରେ ନିର୍ବାଚନ ପାଖେଇ ଆସୁଥିବାରୁ ଏ ଦୃଶ୍ୟ ବେଶ ରୋଚକ ହୋଇଛି।

ସେପଟେ ଛତିଶଗଡ଼ରେ ୯୦ ବିଧାନସଭା ସିଟ ମଧ୍ୟରୁ ୭୫ ସିଟରେ ବିଜୟ ପାଇଁ ଦଳ ସବୁ ଯୋଜନା କରୁଛି। ତେଣୁ ଯେଭଳି କୌଣସି ତ୍ରୁଟି ନ ରହେ ସେଥିପାଇଁ ସବୁ ପ୍ରସ୍ତୁତି ହେଉଛି।

ଆସନ୍ତା ମାସ ପ୍ରଥମ ସପ୍ତାହରେ ଦଳ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଇଛି। ସେପଟେ ରାହୁଲ ଗାନ୍ଧୀ ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ଦୁଇ ତାରିଖରେ ଏକ ବିଶାଳ ସମ୍ମିଳନୀକୁ ସମ୍ବୋଧିତ କରିବେ।

ଛତିଶଗଡ଼ରେ ହେବାକୁ ଥିବା ଯୁବ ମିତାନ ସମ୍ମିଳନୀରେ ରାହୁଲ ଉଦବୋଧନ ଦେବେ। ତେଣୁ ବିଜେପିର ଆଗୁଆ ପ୍ରାର୍ଥୀ ଘୋଷଣା ଓ ଆପର ଗ୍ୟାରେଣ୍ଟିକୁ ପ୍ରତିହତ କରିବାକୁ କଂଗ୍ରେସ ସବୁ ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରୁଥିବା କୁହାଯାଉଛି।

Comments are closed.