Latest Odisha News

ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକରେ ସାମିଲ ହେବା ପୂର୍ବରୁ ନୀତିଶଙ୍କ ବଡ଼ ବୟାନ !

ପାଟନା: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ଟି ବିରୋଧୀ ମେଣ୍ଟ ଇଣ୍ଡିଆ ଜୋରଦାର ପ୍ରସ୍ତୁତ ଚଳାଇଛି। ଆଗକୁ ରଣନୀତି ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦୁଇଥର ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ତୃତୀୟ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ଅଗଷ୍ଟ ୩୧ ତାରିଖରେ ନୀତୀଶ କୁମାର ମୁମ୍ବାଇ ଯିବେ।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଏନ୍‌ଡିଏ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛି। ଏନେଇ ମୁମ୍ବାଇ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୁମ୍ବାଇ ବୈଠକକୁ ନେଇ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, “ମୁଁ ବୈଠକୁ ସାମିଲ ହେବାକୁ ଯାଉଛି। ମୁଁ ବ୍ୟକ୍ତିଗତ କିଛି ଚାହେଁ ନାହିଁ। ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବାକୁ ଚାହୁଁଛି। ଅନ୍ୟ କେତେକ ଦଳ ମଧ୍ୟ ଏହି ବୈଠକରେ ଯୋଗଦେବେ। ଯିଏ ଯାହା କୁହନ୍ତୁ, ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବିଜେପିର ଅଭିଯୋଗ ଉପରେ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ଏବେ ଆଉ କିଛି ଦଳ ଆସିବେ। ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ ମୁଁ ବ୍ୟକ୍ତିଗତ ଭାବରେ କିଛି ଚାହେଁ ନାହିଁ।”

ମୁମ୍ବାଇ ବୈଠକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବାରୁ ଏଥିରେ ସଂଯୋଜକଙ୍କ ନାମ ଆଲୋଚନା ହେବ। ନିକଟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରାଜ୍ୟ ଆଧାରରେ ବିଭିନ୍ନ ସଂଯୋଜକ କରିବାକୁ ସୂଚିତ କରିଥିଲେ। ନୀତୀଶ କୁମାର ଏହାକୁ ଶେଷ କରିଛନ୍ତି। ଲାଲୁଙ୍କ ବିବୃତ୍ତି ପରେ ନୀତୀଶ କୁମାର ଶୁକ୍ରବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ବୈଠକ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ସୂଚନା ପରେ ସମସ୍ତଙ୍କୁ ଦିଆଯିବ।

Comments are closed.