ବିହାର: ଦୁନିଆର ପ୍ରତ୍ୟେକ ଗାଁରେ ପରମ୍ପରା, ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ । ଆଉ ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । ସେହିପରି ବିହାରରେ ଏମିତି ଏକ ଗାଁ ଅଛି, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ ଏବଂ ପରେ ଦେବତାଙ୍କୁ ପୂଜା କରାଯାଇଥାଏ । ଏଠାରେ ଦୁଇ କି ଚାରି ବର୍ଷ ନୁହେଁ, ଶତାବ୍ଦୀ ଶତାବ୍ଦୀ ଧରି ଦେବତାଙ୍କ ଆଗରୁ ରାକ୍ଷସମାନଙ୍କ ପୂଜା କରାଯାଇଥାଏ । ଏହି କାରଣରୁ ଗାଁର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।
ବିହାରର ସିୱାନ ଜିଲାରେ ରହିଛି ଦାରୁଲି ଗାଁ । ଏଠାରେ କାହିଁ କେଉଁ କାଳରୁ ଦେବଦେବୀଙ୍କ ଆଗରୁ ରାକ୍ଷସମାନଙ୍କ ପୂଜା କରାଯାଇଆସୁଛି । ଏଠାରେ ଭୂତମାନଙ୍କୁ ପୂଜା କରାଯାଏ । ଜିଲ୍ଲାର ଏହା ହେଉଛି ଏକମାତ୍ର ଗ୍ରାମ, ଯେଉଁଠାରେ ରାକ୍ଷସ ରାଜା ବାଣାସୁରଙ୍କ ମନ୍ଦିର ରହିଛି ।
ଗ୍ରାମବାସୀଙ୍କ କହିବାନୁସାରେ, ଦ୍ୱାପର ଯୁଗରେ ରାକ୍ଷସ ରାଜା ବାଣାସୁର ବିଶ୍ରାମ ନେବା ପାଇଁ ଡୋନ ଖୁରଡ ଗାଁରେ ରହିଥିଲେ । ସେତେବେଳେ ସ୍ଥାନୀୟ ଲୋକେ ତାଙ୍କର ସେବା କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ରାକ୍ଷସ ରାଜା ବାଣାସୁର ଗାଁକୁ ଶାନ୍ତି ଏବଂ ଆଶୀର୍ବାଦ ଦେଇଥିଲେ । ସେବେଠାରୁ ଗ୍ରାମବାସୀ ରାକ୍ଷସ ରାଜାଙ୍କୁ ପୂଜା କରିବା ଆରମ୍ଭ କରିଥିଲେ । ସେହି ଦିନଠାରୁ ଗ୍ରାମବାସୀ ଦେବତାମାନଙ୍କ ପୂର୍ବରୁ ରାକ୍ଷସ ରାଜା ବାଣାସୁରଙ୍କୁ ପୂଜା କରିବାର ପରମ୍ପରା ମାନି ଆସୁଛନ୍ତି । ଦ୍ୱାପର ଯୁଗରେ ରାକ୍ଷସ ରାଜା ଯେଉଁ ପୋଖରୀରେ ସ୍ନାନ କରିଥିଲେ, ତାହା ଏବେ ବି ଏଠାରେ ରହିଛି । ଏଥିସହିତ ସେହି ସମୟର ବହୁ ମୂଲ୍ୟବାନ ପ୍ରତିମା ମଧ୍ୟ ଏଠାରେ ରହିଛନ୍ତିି । ଏହା ବ୍ୟତୀତ ଦୁଇଟି ଐତିହାସିକ ଶଙ୍ଖ ମଧ୍ୟ ରହିଛି । ଯାହାକି ଦ୍ୱାପର ଯୁଗ ସହିତ ଜଡ଼ିତ ।
ରାକ୍ଷସ ରାଜା ବାଣାସୁରଙ୍କ ମନ୍ଦିର ନିକଟରେ ଅନେକ ମନ୍ଦିର ମଧ୍ୟ ଅବସ୍ଥିତ । ରାକ୍ଷସ ରାଜାଙ୍କୁ ପୂଜା କରିବା ପରେ ଭକ୍ତମାନେ ଭଗବାନ ଶନି ଦେବ, ମାତା ସୀତା, ଭଗବାନ ଶ୍ରୀ ରାମ, ଗୌରୀ, ଗଣେଶ, ମା’ କାଳୀ ଏବଂ ଶେଷରେ ଭୋଳାଶଙ୍କରଙ୍କୁ ପୂଜା କରିଥାନ୍ତି । ସ୍ଥାନୀୟ ଲୋକମାନେ ରାକ୍ଷସ ରାଜାଙ୍କୁ ବାଣାସୁର ବାବା ବୋଲି ଡାକିଥାନ୍ତି । ମୁଖ୍ୟତଃ ତାଙ୍କୁ ଗଞ୍ଜେଇ ଦିଆଯାଏ ।
Comments are closed.