ଥିରୁବନନ୍ତପୁରମ: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ ସିର ଏକ ମ୍ୟାଚ୍ରେ ଓଡ଼ିଶା କ୍ରିକେଟ୍ ଦଳକୁ ପୁଣିଥରେ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଥିରୁବନନ୍ତପୁରମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେରଳ ଦଳ ଓଡ଼ିଶାକୁ ଏକ ପାଳି ଏବଂ ୩୬ ରନ୍ରେ ପରାଜିତ କରିଛି । ସ୍ପିନ୍ ବୋଲିଂ ଆଗରେ ଓଡ଼ିଶାର ବ୍ୟାଟିଂ ବିପର୍ୟ୍ୟୟ ଏହି ମ୍ୟାଚ୍ରେ ସ୍ପଷ୍ଟ ଭାବେ ନଜର ଆସିଛି । କେରଳ ପ୍ରଥମ ପାଳିରେ ୪୦୪ ରନ୍ କରିଥିଲା ।ଜବାବରେ ଓଡ଼ିଶା ପ୍ରଥମ ପାଳିରେ ମାତ୍ର ୨୨୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଫଲୋ-ଅନ୍ର ସମ୍ମୁଖୀନ ହୋଇ ଓଡ଼ିଶା ଦ୍ୱିତୀୟ ପାଳିରେ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । କେରଳର ଅଭିଜ୍ଞ ସ୍ପିନର୍ ଜଳଜ ସକ୍ସେନା ମ୍ୟାଚ୍ରେ ମୋଟ ୭ଟି ୱିକେଟ୍ (ପ୍ରଥମ ପାଳିରେ ୨ ଏବଂ ଦ୍ୱିତୀୟ ପାଳିରେ ୫ଟି) ନେଇ ଓଡ଼ିଶା ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିଥିଲେ । ଅନ୍ୟପକ୍ଷରେ ଆଦିତ୍ୟ ସରୱତେ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।
ଓଡ଼ିଶା ପକ୍ଷରୁ ଗୌରବ ଚୌଧୁରୀ ଉଭୟ ପାଳିରେ ଦମଦାର୍ ବ୍ୟାଟିଂ କରି ଅର୍ଦ୍ଧଶତକ (ପ୍ରଥମ ପାଳିରେ ୫୦ ଏବଂ ଦ୍ୱିତୀୟ ପାଳିରେ ୫୩ ରନ୍) ହାସଲ କରିଥିଲେ । ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମ ପାଳିରେ ୫୦ ଏବଂ ଦ୍ୱିତୀୟ ପାଳିରେ ୩୦ ରନ୍ କରି ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଚଳିତ ସିଜିନରେ ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବଡ଼ ପରାଜୟ ଅଟେ (ଏହାପୂର୍ବରୁ ଓଡ଼ିଶା ଗୁଜୁରାଟଠାରୁ ହାରିଥିଲା) । ପଏଣ୍ଟ ତାଲିକାରେ ସବୁଠୁ ତଳେ ରହିଥିବା ଓଡ଼ିଶା ଦଳ ଆସନ୍ତା ସପ୍ତାହରେ ଭୁବନେଶ୍ୱରରେ ସର୍ଭିସେସ ବିପକ୍ଷରେ ନିଜର ପ୍ରଥମ ହୋମ ମ୍ୟାଚ୍ ଖେଳିବ ।

