ନୂଆଦିଲ୍ଲୀ:ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ପିକେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜୁନ ୧୩, ୨୦୧୫ରୁ ଅଗଷ୍ଟ ୩୦, ୨୦୧୯ ମଧ୍ୟରେ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ
କରିଥିଲେ । ସେ ଉତର ପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ ।
ତାଙ୍କ କ୍ୟାରିଅରରେ ଶ୍ରୀ ସିହ୍ନା ଶକ୍ତି ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଂଟ ଷ୍ଟିଫେନ୍ସ କଲେଜରେ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ଏହାପରେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ସେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଚାକିରିରେ ଥିବା ସମୟରେ ସେ ମଧ୍ୟ ପବ୍ଲିକ ଆଡମିନଷ୍ଟେ୍ରସନରେ ମାଷ୍ଟର୍ସ ଡିପ୍ଲୋମା ଏବଂ ସମାଜ ବିଜ୍ଞାନରେ ଏମଫିଲ ଡିଗ୍ରୀ ହାସଲ କରିଥିଲେ । ଆଇଏଏସ ଭାବେ ତାଙ୍କ ଦୀର୍ଘ କ୍ୟାରିଅରରେ ଶ୍ରୀ ସିହ୍ନା ଉଭୟ ଉତର ପ୍ରଦେଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦ-ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ।
ଶ୍ରୀ ସିହ୍ନା ଜଉନପୁର, ଆଗ୍ରାର ଜିଲ୍ଲା ମାଜିଷ୍ଟେ୍ରଟ, ବାରାଣସୀର କମିଶନର, ସଚିବ (ପ୍ଲାନିଂ) ଓ ପ୍ରମୁଖ ସଚିବ (ଜଳସେଚନ) ଆଦି ପଦରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାରରେ ମୁଖ୍ୟତଃ ଶକ୍ତି ଓ ଭିତିଭୂମି କ୍ଷେତ୍ରରେ ଯେପରିକି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଶକ୍ତି ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ସେ ଅନେକ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଶକ୍ତି, ଭିତିଭୂମି ଓ ଆର୍ଥିକ କ୍ଷେତ୍ରରେ ତାଙ୍କର ବିଶେଷ ଅନୁଭବ ରହିଛି ।
Comments are closed.