ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦ ତାରିଖରେ ପ୍ରଚାର କରିବେ।
ରାଜସ୍ଥାନର ପୁର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗଡ଼ କୁହାଯାଉଥିବା ଟୋଙ୍କ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ସଭାର ଶୁଭାରମ୍ଭ କରିବେ ପ୍ରିୟଙ୍କା।
ରାଜ୍ୟରେ ଅଶୋକ ଗେହଲଟ ସରକାର ଥିବାବେଳେ ଗେହଲଟ ପାଇଲଟ ବିବାଦର ସମାଧାନ କରିବାରେ ସଫଳ ହୋଇଛି ଦଳ। ଏପରିକି କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରଣ କମିଟି ସିଡବ୍ଲୁସିର ସଦସ୍ୟ ଭାବେ ସଚିନଙ୍କୁ ସ୍ଥାନ ମିଳିଛି।
ତେଣୁ କଂଗ୍ରେସ ପାଇଁ ରାଜସ୍ଥାନରେ ସବୁଠୁ ମୁଣ୍ଡବିନ୍ଧାର କାରଣ କୁହାଯାଉଥିବା ଗେହଲଟ ପାଇଲଟ ଲଢେଇର ଅନ୍ତ ଘଟିବା ପରେ ଏବେ ପ୍ରିୟଙ୍କା ପ୍ରଚାରକୁ ଫୋକସ କରିବେ।
ଏପରିକି ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରିସାରିଛି। ଗୋବିନ୍ଦ ରାମ ମେଘାୱାଲଙ୍କୁ କ୍ୟାମ୍ପେନ କମିଟିର ମୁଖ୍ୟ କରାଯାଇଛି। ସେହିପରି ସି ପି ଯୋଶୀଙ୍କୁ ଇସ୍ତାହାର କମିଟିର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି କଂଗ୍ରେସ କୋର କମିଟିରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କୁ ରଖାଯାଇଛି। ଏଥିସହିତ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଚାଲିଛି।
ପ୍ରିୟଙ୍କାଙ୍କ ଗସ୍ତ ପୂର୍ବରୁ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜସ୍ଥାନ ଗସ୍ତ କରି ସାରିଛନ୍ତି। ଭିଲବାଡାରେ ଆୟୋଜିତ କୃଷକ ସମ୍ମିଳନୀକୁ ଖଡ଼ଗେ ସମ୍ବୋଧିତ କରିଥିଲେ। ତେଣୁ ପ୍ରିୟଙ୍କାଙ୍କ ଗସ୍ତକୁ ନେଇ ରାଜସ୍ଥାନ କଂଗ୍ରେସ ବେଶ ଆଶାବାଦୀ।
ଗତ କର୍ଣ୍ଣାଟକ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ସପକ୍ଷରେ ଏକ ବଡ଼ ମାହୋଲ ତିଆରି କରିବାରେ ସକ୍ଷମ ହୋଇଥିଲେ। ତେଣୁ ତାଙ୍କ ଉପରେ ରାଜସ୍ଥାନ କଂଗ୍ରେସ ଭରଷା ରଖିଛି।
ସେପଟେ ନିର୍ବାଚନ ପୂର୍ବରୁ ବିଜେପି ରାଜସ୍ଥାନରେ ପରିବର୍ତ୍ତନ ସଂକଳ୍ପ ଯାତ୍ରା ଆୟୋଜନ କରୁଛି। ବିଜେପି ନେତା ଓ କାର୍ଯ୍ୟକାର୍ତ୍ତା ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ ସରକାରକୁ ବଦଳାଇବାକୁ ସଂକଳ୍ପ କରୁଛନ୍ତି।
ଏହି ଯାତ୍ରା ଦ୍ୱାରା ବିଜେପି ପରିବର୍ତ୍ତନ ଆଣିବାର କଥା କହୁଥିଲେ ମଧ୍ୟ କିଛି ଦଳୀୟ ନେତାଙ୍କ କ୍ରୋଧ ଦେଖିବାକୁ ମିଳୁଛି। ପରିବର୍ତ୍ତନ ଯାତ୍ରାର ସଂଯୋଜକ ଅରୁଣ ଚତୁର୍ବେଦୀ କାର୍ଯ୍ୟକାର୍ତ୍ତା ଓ ଦଳୀୟ ଟିକେଟ ଆଶାୟୀଙ୍କ ଦ୍ୱାରା ସ୍ୱାଗତ କରାଯିବା ବେଳେ ଫୁଲମାଲକୁ ଫୋପାଡ଼ି ଦେଇଥିଲେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ଯାତ୍ରା ଅବସରରେ ଭରତପୁର ବିଧାନସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀ ନିଜ କାର୍ଯ୍ୟକାର୍ତ୍ତାଙ୍କ ସହ ପହଂଚିବା ସହ ପରିବର୍ତ୍ତନ ଯାତ୍ରାର ରଥରେ ଚଢି ସବୁ ନେତାଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ।
କିନ୍ତୁ ରଥରେ ଉପସ୍ଥିତ ବିଜେପି ନେତାମାନେ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କୁ ମାଡ଼ ମାରିବା ସହ ରଥରୁ ତଡି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରା ଅବସରରେ ବିଧାନସଭା କ୍ଷେତ୍ରର ଆଶାୟୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଭିଡ଼ ଜମାଉଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।
ସମସ୍ତେ ରଥ ଉପରେ ଚଢ଼ିବାକୁ ଉଦ୍ୟମ କରୁଛନ୍ତି। ତେଣୁ ଏସବୁକୁ ରୋକିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ବିଜେପି ନେତା ଜିତେନ୍ଦ୍ର ଗୋଠବାଲ।
ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ସଂଖ୍ୟାଧିକ ଆଶାୟୀ ଚିନ୍ତା ବଢାଇଛନ୍ତି। ତେଣୁ ରାଜସ୍ଥାନରେ ଉଭୟ ଦଳ ବିଜୟ ଲାଭ କରିବାକୁ ସବୁ ଶକ୍ତି ଏକାଠି କରୁଥିବା ଦେଖିବାକୁ ମିଳିଛି।
Comments are closed.