Latest Odisha News

ଏମିତି ଗାଁ, ଯେଉଁଠି ୪୫ ବର୍ଷ ହେଲାଣି ଗୋଟିଏ ବି ମାମଲା ଥାନାରେ ହୋଇନି

ବିହାର: ଏମିତି ଏକ ଗାଁ ଯେଉଁଠି ମଦ ପ୍ରସ୍ତୁତ ହୁଏ ନାହିଁ କିମ୍ବା କେହି ପିଅନ୍ତି ବି ନାହିଁ । ଦୋକାନ ବି ନାହିଁ । ବର୍ଷେ କି ୫ ବର୍ଷ ନୁହେଁ, ଦୀର୍ଘ ୪୫ ବର୍ଷ ହେଲାଣି ଏହି ଗ୍ରାମରୁ ଗୋଟିଏ ମାମଲା ମଧ୍ୟ ଥାନାକୁ ଯାଇନାହିଁ । ଏମିତି କି ଏହି ଗାଁରେ କେହି ସରପଞ୍ଚଏବଂ ୱାର୍ଡ ସଦସ୍ୟ ଭାବେ ନିର୍ବାଚନ ପାଇଁ ଛିଡା ହୁଅନ୍ତି ନାହିଁ । ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେମାନେ ନିର୍ବାଚିତ ହୋଇଥାନ୍ତି । ଗାଁରେ କେବଳ ଶାନ୍ତି ହିଁ ଶାନ୍ତି । ବିହାରର ଏହି ଗାଁ ଏବେ ଆଦର୍ଶ ଗାଁ ଭାବେ ବେଶ୍ ପରିଚିତ ।

ଜିଲ୍ଲା ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ ରହିଛି ନାଳନ୍ଦା ଗାଁ । ଏହି ଗାଁ ଗଙ୍ଗୁରା ପଞ୍ଚାୟତର ୱାର୍ଡ ନମ୍ବର ୦୨ରେ ରହିଛି । ଏଠାରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ଏହା ୫୦୦୦ ବର୍ଗଫୁଟରେ ରହିଛି । ଗାଁରେ ଅନେକ ପରମ୍ପରା ରହିଛି, ଯାହାକୁ ପିଢି ପରେ ପିଢି ପାଳନ କରି ଆସୁଛନ୍ତି । ଏଠାକାର ଲୋକଙ୍କ ମଧ୍ୟରେ ଭାଇଚାରା ପୂରା ନିଆରା । ଏହି ଗାଁର ବିଶେଷତ୍ୱ ହେଲା, ଏଠାରେ କେହି ବିପଦରେ ପଡ଼ିଲେ ଗ୍ରାମବାସୀ ଏକ ହୋଇଯାଆନ୍ତି । ଏଠାରେ କେହି ନିଶା ସେବନ କରନ୍ତି ନାହିଁ କି ମଦ ବିକ୍ରି କରିବାକୁ ଅନୁମତି ନାହିଁ । ସବୁଠୁ ବଡ଼ କଥା, ଏହି ଗାଁରେ ବର୍ଷେ କି ୧୫ବର୍ଷ ନୁହେଁ ଦୀର୍ଘ ୪୫ ବର୍ଷ ହେଲାଣି କୌଣସି ମାମଲା ଥାନାକୁ ଯାଇନାହିଁ । ଏଠାରେ ନିର୍ବାଚନ ବି ଅନୁଷ୍ଠିତ ହୁଏ ନାହିଁ । ଗାଁ ଲୋକ ଯାହାକୁ ମନୋନୀତ କରନ୍ତି, ସେ ଲୋକ ହିିଁ ସରପଞ୍ଚ,ୱାର୍ଡ଼ସଭ୍ୟ ଭାବେ ନିର୍ବାଚିତ ହୋଇଥାନ୍ତି । ଏଠାକାର ଲୋକଙ୍କ ଉଦ୍ଦେଶ୍ୟ ମାରପିଟ୍‌,ଗଣ୍ଡଗୋଳ ବା ଝଗଡ଼ାରୁ ଦୂରେଇ ରହି ଶାନ୍ତିରେ ବଞ୍ଚିବା ।

କେବଳ ଏତିକି ନୁହେଁ, ଏହି ଗାଁରେ ପରିବେଶ୍‌ବିତ ଭାବେ ଜଣାଶୁଣା ସୁରେନ୍ଦ୍ର ସିଂଙ୍କ ର୩ ଏକର ଜମିରେ ଏକ ଉଦ୍ୟାନ ରହିଛି । ଏହାର ନାମ କୁନ୍ଦନ ଭାଟିକା । ବିଭିନ୍ନ ପ୍ରକାରର ଔଷଧୀୟ ଗଛ, ଉପକାରୀ ଫଳ, ପନିପରିବା ଏବଂ ମସଲା ଜାତୀୟ ଅନେକ ପ୍ରକାରର ଉଦ୍ଭିଦ ଏଠାରେ ଚାଷ କରାଯାଏ । ଯେଉଁଥିପାଇଁ ଏଠାରେ ଥିବା ଗ୍ରାମବାସୀ ଏହାର ଲାଭ ପାଆନ୍ତି । ଯଦି ସେମାନେ ଆବଶ୍ୟକ କରୁଥିବା ଜିନିଷ ସେଠାରେ ଥାଏ, ସେମାନଙ୍କୁ ସାହାଯ୍ୟ କରାଯାଇଥାଏ । ଏଠାରେ ୮୫% ଲୋକ ଶିକ୍ଷିତ । ଏବେ ବିହାରର ଏକ ଆଦର୍ଶ ଗାଁ ଭାବରେ ଏହି ଗାଁ ବେଶ୍ ପରିଚିତ ।

Comments are closed.