ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସଞ୍ଜିତା ପ୍ରଧାନଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?
ମୋର ଆଦ୍ୟ ଜୀବନରେ ସାହିତ୍ୟର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେହେତୁ ଗାଁରେ ବିଜୁଳି ବତୀର ସୁବିଧା ନଥିଲା ଆମର ମନୋରଞ୍ଜନର ମାଧ୍ୟମ ଥିଲା ଏହି ସାହିତ୍ୟ। କେତେବେଳେ ବୋଉର ଗପ ତ କେତେବେଳେ ବାପାଙ୍କ କବିତା । ଜହ୍ନମାମୁଁ ତଥା ଅନ୍ୟାନ୍ୟ ଗଳ୍ପ ବହି , କବିତା ବହିରେ ଅବସର ସମୟସବୁ ବ୍ୟତୀତ ହେଇଥିଲା । ପରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ ସମୟରେ ଜିଲ୍ଲା ସ୍ତରୀୟ କବିତା ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଲା ପରେ ଅଧିକ ଉତ୍ସାହିତ ହୋଇଥିଲି ଏହି ସାହିତ୍ୟ ସର୍ଜନା ପାଇଁ । ମୋର ଚିନ୍ତା ଚେତନାରେ ଉଙ୍କି ମାରୁଥିବା ଆବେଗକୁ ଅନେକଙ୍କ ପାଖକୁ ପହଞ୍ଚେଇବାର ଇଚ୍ଛା ହିଁ ମୋ ସାହିତ୍ୟ ରଚନାର ପ୍ରେରଣା ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିବା ସମୟରେ କଲେଜର ବାର୍ଷିକ ପତ୍ରିକାରେ ମୋର କବିତା “ଜୀବନର ଚଲାପଥ” ପ୍ରକାଶିତ ହୋଇଥିଲା ;ଯାହା ସେତେବେଳେ ଖୁବ ପ୍ରଶଂସା ସାଉଁଟି ଥିଲା । ମୋର ଲେଖନୀ କଲେଜରେ ଏକ ଭିନ୍ନ ଏବଂ ସ୍ଵତନ୍ତ୍ର ପରିଚୟ ପାଇଥିଲା । ପରବର୍ତ୍ତୀ ସମୟରେ ମୋ କଳମକୁ ଅଧିକ ସକ୍ରିୟ କରିଥିଲା ଫେସବୁକ୍ ପୃଷ୍ଠା “ନୂତନ ଆଶା”ରେ ପ୍ରକାଶିତ କବିତା “ପୁଣିଥରେ” । ଏହି କବିତା ମାଧ୍ୟମରେ ମୁଁ ଅନେକ ସାହିତ୍ୟ ସ୍ରଷ୍ଟାଙ୍କ ସହିତ ଯୋଡ଼ି ହେଲି । ସଭିଙ୍କ ବାର୍ତ୍ତା, ଉପଦେଶରେ ମତେ ଅଧିକ ପ୍ରେରିତ, ଉତ୍ସାହିତ ଏବଂ ଅନୁପ୍ରାଣିତ କରିଛି ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ପ୍ରକୃତିର ମନୋରମ ଚିତ୍ର ତଥା ସମାଜର ସ୍ଥିତି ପରିସ୍ଥିତି, ଘଟଣା ଦୁର୍ଘଟଣା, ପ୍ରେମ ପ୍ରତାରଣା, ବାଦ ବିବାଦକୁ କେନ୍ଦ୍ରକରି ମୁଁ ମୋର ଲେଖାରେ ବାସ୍ତବତା ଆଙ୍କିବାକୁ ଚେଷ୍ଟା କରିଥାଏ । ସାହିତ୍ୟ ଦ୍ଵାରା ଶୋଷଣ, ଛଳନାର ବିନାଶରେ ସୁସ୍ଥ ନିର୍ମଳ ସମାଜଟିଏ ଗଢ଼ି ଉଠୁ ବୋଲି ମୋର ଆଶା ।
ତାଙ୍କ ରଚନାରୁ କବିତା : ରାତିର ଚିତ୍କାର
କଳା ମଚ୍ ମଚ୍ ସର୍ପିଳ ରାସ୍ତାର କଡ଼େ କଡ଼େ
ଦୁଇ ନଗ୍ନ ପାଦ ନିତ୍ୟ ଦୌଡେ
ଯେଉଁଠି ବୁଢ଼ା ବରଗଛର ଓହଲ
ମାଟି ମଗ୍ନ ହୋଇ ଅସ୍ତିତ୍ବ ଗଢ଼େ;
ସେଠି ଦୁଇ ପାଦ ସ୍ଥିର ହୁଏ
ମସ୍ତିଷ୍କ ଅବାନ୍ତର କାହାଣୀ ବୁଣେ
ପ୍ରାରବ୍ଧର ଶୂନ୍ୟସ୍ଥାନରେ ସମାପ୍ତ ବୋଲି ଲେଖାଯାଏ
ସିଏ ବ୍ୟସ୍ତ ହୁଏ
ମୁଣ୍ଡ ହଲାଇ ଦାନ୍ତ ଦେଖାଇ ଠୋ ଠୋ ହସେ
ଛାଟି ପିଟି ହୁଏ
ମାଟି ଖାଇ ଭୂଇଁରେ ଗଡ଼େ ।
ଭୋକର ଅଭିଯୋଗରେ ମଇଳା ଲୁଗା ଛିଣ୍ଡେ
ପେଟରେ ମରୁଭୂମି ଜନ୍ମନିଏ
ଅଯତ୍ନ କେଶରାଜିରେ ଇତିହାସ ଆତ୍ମହତ୍ୟା କରେ
ନିଶ ଦାଢ଼ିରେ ଭୂଗୋଳ ନିଶ୍ଚିହ୍ନ ହୁଏ
ତେବେ ବି ଜୀବନ ବଞ୍ଚେ
ପାଗଳର ଆଖ୍ୟା ବହନ କରି
ଭାଗ୍ୟକୁ ସଉକରେ ଆଦରି ।
ନିରର୍ଥକ ହୁଏ ପରିଚୟ ଶବ୍ଦ
ତୁ କିଏ ବୋଲି ପଚାରିବାକୁ ଯେଣୁ କେହି ନାହିଁ
ଦିଶେ ସବୁ ଝାପସା ଝାପସା;
ଆଖିର ଉଜ୍ଜ୍ଵଳତା ସମୟ ହାତରେ ବନ୍ଧା
ଦିନ ବିତେ ଶୂନ୍ୟକୁ ଚାହିଁ ଚାହିଁ
ଲିଭି ସାରିଛି ଇପ୍ସିତ ଅଭିପ୍ସା ।
ଡଷ୍ଟବିନରେ ହିଁ ତା’ର ରୋଷେଇ ଘର
ଗାଈ,ମଇଁଷି,କୁକୁର, ଚଢ଼େଇ…..
ଆହୁରି ଅନେକଙ୍କ ସହ ତା’ର ଭାବ ଦିଆ ନିଆ
ମଣିଷମାନେ ତାକୁ ଏଲିଏନ୍ ପରି ଦେଖନ୍ତି
ନାନା ଟିପ୍ପଣୀ ଦିଅନ୍ତି
ତାକୁ ନେଇ କବିତା କାହାଣୀ ଲେଖନ୍ତି
ବାସ୍ତବତା ଯେ କୋଶେ ଦୂରେ
ମାପିବାକୁ କିନ୍ତୁ ସଭିଏଁ ପଛାନ୍ତି ।
ଖରା, ବର୍ଷା, କାକର
ସେଇ ରାସ୍ତା ହିଁ ଠିକଣାର ପରିସର
କେବେ ସେ ଖୁଁ ଖୁଁ କାଶେ
ଦେହ ଶୀତେଇ ଯାଏ
ପୁଣି ଝାଳେଇ ଯାଇ ନାଳରେ ବହୁଥିବା ପାଣିକୁ ଢକ୍ ଢକ୍ ପିଏ
ସବୁ ଯୋଜନାର ସତ୍ୟାନାଶ କରି
ସିଏ ଦୌଡେ
ସେଇ ରାସ୍ତାର କଡ଼େ କଡ଼େ ।
ତା’ଠାରେ ସଫେଦ୍ ଦିନମାନେ ବହଳ ରାତି ପାଲଟି ଯା’ନ୍ତି
ଅବିରତ ଚିତ୍କାର କରନ୍ତି
ଚିତ୍କାର କେବେ ସୀମା ଲଙ୍ଘି ପାରେନି
ସେଇଥିପାଇଁ ବୋଧହୁଏ କହାକୁ ଶୁଭେନି
ହେଲେ ଏହି ଚିତ୍କାର ଦିନେ ନୀରବି ଯାଏ
ଗାଈ, ମଇଁଷି, କୁକୁର, ଚଢ଼େଇ….. କ୍ଷଣକେ ସ୍ତବ୍ଧ ହୁଅନ୍ତି
ଲୋକେ ଦେଖନ୍ତି ଦୌଡୁଥିବା ପାଦ ହଳକ ଭୂଇଁରେ ଟଳି ପଡ଼ିଛି
କିଛି ଘଡିର ହଲଚଲ ପରେ ସବୁ ସାଧାରଣ
ସମାଧିସ୍ତ ସମସ୍ତ କାରଣ ।
ଏବେ ସହରର କେଉଁ କୋଣେ
ଘଟଣା ପୁନଃ ରୂପ ସଜାଡୁଛି
ବହଳ ରାତି ଚିତ୍କାର କରୁଛି
ସହର ଜାଗରଣ ପାଳୁଛି
ତଥାପି; ସ୍ବଭାବତଃ ସବୁ ଠିକ୍ ଠାକ୍ ଚାଲିଛି
ପୃଥିବୀ ଘୁରୁଛି
ଦିନ ମାସ ବର୍ଷ ବିତୁଛି ।
Comments are closed.