ବାଲେଶ୍ୱର: ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛି। କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍ କଟକ ଜିଲ୍ଲା ନେରଗୁଣ୍ଡିରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିଲା। ମାର୍କୋଣା ଷ୍ଟେସନରେ କିଛି ରେଳ କର୍ମଚାରୀ ଏହାର ବଗିରେ ନିଆଁ ଲାଗିଥିବା ଦେଖି ନିଜ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ।
ମାର୍କୋଣା ଷ୍ଟେସନ ମାଷ୍ଟର ମାଲଗାଡ଼ିର ଗାର୍ଡ ଓ ସୋରୋ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଏହାସହ ଷ୍ଟେସନରେ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଜିଲ୍ଲାର ସୋରୋ ରେଳ ଷ୍ଟେସନରେ ଲୋକୋ ପାଇଲଟ ଟ୍ରେନକୁ ଅଟକାଇଥିଲେ ଏବଂ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ରାତି ହୋଇଯାଇଥିବାରୁ ନିଆଁକୁ ଆୟତ୍ତ କରିବାକୁ ସେମାନଙ୍କୁ କିଛି ସମୟ ଲାଗିଥିଲା।
ତେବେ ସେମାନେ ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଜିଲ୍ଲାର ରୂପ୍ସା ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା।
Comments are closed.