Latest Odisha News

BREAKING NEWS

ସରିଲା ବଣଭୋଜି ବେଶ: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି  । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଅନୁଷ୍ଠିତ ହେବ  । ମଧ୍ୟାହ୍ନ ଧୂପ ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ ।

ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଅସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା  ।

Comments are closed.