Latest Odisha News

BREAKING NEWS

କବିତା : ଆସନ୍ତା କାଲିର ଚରିତ୍ର

ତେଜସ୍ଵିିନୀ ପଣ୍ଡା

ଜଣାନାହିଁ କାଲି
ସକାଳେ କଣ ହେବ?
ଶ୍ରାବଣୀ ଆସି ଭିଜେଇବ
କି ବୈଶାଖୀ ଆସି ଜାଳିଦେବ,
ପାପପୁଣ୍ୟ, ସୂର୍ଯ୍ୟଚନ୍ଦ୍ର
କ’ଣ ସବୁ ମାଟିରୁ ଲିଭିଯିବେ,
ଲିଭିଯିବ କ’ଣ ପଥରରେ
ଲେଖା ଇତିହାସ।
କିଏ ଜାଣେ,
ସେ ତ ଆସନ୍ତା କାଲିର ଚରିତ୍ର ।

ଜଣାନାହିଁ କାଲି
ଅପରାହ୍ନରେ କଣ ହେବ?
ନୂଆ ଇତିହାସ ଲେଖାହେବ
କି ଭୂଗୋଳରେ ଗାଁର
ବାସ୍ନା ହଜିଯିବ,
ପୃଥିବୀର ପରିଧି ଆଶାରେ
ସବୁ ମାୟା ଏ ଜାତିକୁ
କଣ ଗ୍ରାସ କରିବ କି
ଏଠି ସ୍ୱାଭିମାନର
ରକ୍ତ ମରିଯିବି।
କିଏ ଜାଣେ,
ସେ ତ ଆସନ୍ତା କାଲିର ଚରିତ୍ର।

ଜଣାନାହିଁ କାଲି
ସନ୍ଧ୍ୟାରେ କଣ ହେବ?
ମାଟିଦୀପରେ ଅନ୍ଧାର ଲୁଚିବ
ଆଲୁଅ ସବୁ ପାଉଁଶ ପାଲଟିବ,
ନୂଆବୋହୂ ମଥାରେ
ଓଢଣା ଟାଣିବ କି
କାନ୍ଦି କାନ୍ଦି ମଥାରୁ
ସିନ୍ଦୂର ପୋଛିବ।
କିଏ ଜାଣେ,
ସେ ତ ଆସନ୍ତା କାଲିର ଚରିତ୍ର।

ଜଣାନାହିଁ କାଲି
ରାତିରେ କ’ଣ ହେବ?
ଫୁଲର ଶେଯ ସଜା ହେବ
କି ମଶାଣୀରେ ଜୁଇ ଜଳିବ,
ସବୁ ପ୍ରତୀକ୍ଷାର
ଶେଷ ହେବ କି
କିଛି ବାକି ରହିଯିବ।
କିଏ ଜାଣେ,
ସେ ତ ଆସନ୍ତା କାଲିର ଚରିତ୍ର।

ଜଗତସିଂହପୁର

Leave A Reply

Your email address will not be published.