ଲୁଧିଆନା: ଦୁନିଆରେ ଅନେକ ଭିନ୍ନ ଭିନ୍ନ ପାର୍କ ଅଛି, ଯେଉଁଠାକୁ ଲୋକମାନେ ଅବସରବିନୋଦନ ପାଇଁ ଯାଇଥାନ୍ତି । ଆଉ ଛୋଟ ପିଲାମାନେ ଖେଳିବା ପାଇଁ ଯାଇଥାନ୍ତି । ଏମିତି କି ଭ୍ରମଣ, ଯୋଗ ଏବଂ ବ୍ୟାୟାମ ମଧ୍ୟ କରନ୍ତି । ଆଉ ପ୍ରିୟଜନମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ ପ୍ରକୃତି ନିକଟରେ ଅତିବାହିତ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଲୁଧିଆନାରେ ଏମିତି ଏକ ପାର୍କ ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ପାର୍କରେ ପ୍ରତ୍ୟେକ ସୁବିଧା ରହିଛି । ଖେଳ ସାମଗ୍ରୀ, ବିଭିନ୍ନ ଗଛ, ଏପରିକି ଏକ ସୁଇମିଂ ପୁଲ୍ ମଧ୍ୟ । ହେଲେ ଏବେ ଆପଣ ଭାବୁଥିବେ ଏଥିରେ କ’ଣ ସ୍ୱତନ୍ତ୍ର ଅଛି । ପାର୍କଟି ମଣିଷମାନଙ୍କ ପାଇଁ ନୁହେଁ ବରଂ କୁକୁରମାନଙ୍କ ପାଇଁ । ଏହି ପାର୍କର ସମସ୍ତ ସୁବିଧା ଦେଖିଲେ ଆପଣଙ୍କ ଆଖି ଝଲସି ଉଠିବ ।
ଲୁଧିଆନା ସହରର ଭୋଇ ରାନ୍ଧୀର ସିଂ ଅଞ୍ଚଳରେ ରହିଛି ଏହି ସ୍ୱତନ୍ତ୍ର ପାର୍କ । ଏହା ସାଧାରଣତଃ କୁକୁରମାନଙ୍କ ପାଇଁ ତିଆରି ହୋଇଛି । ଏହା ଭାରତର ତୃତୀୟ କୁକୁର ପାର୍କ ଏବଂ ଉତ୍ତର ଭାରତରେ ପ୍ରଥମ । ଏହି ପାର୍କ ନିର୍ମାଣ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ କୌଣସି ଅର୍ଥ ଖର୍ଚ୍ଚ କରିନାହିଁ, ବରଂ ଜଣେ କଣ୍ଟ୍ରାକ୍ଟର ନିଜ ଅର୍ଥରେ ଏହି ପାର୍କ ନିର୍ମାଣ କରିଛନ୍ତି । ଏହି ପାର୍କରେ ଅନେକ ସୁବିଧା ରହିଛି । କୁକୁରମାନେ ଖେଳିବା ପାଇଁ ବିଭିନ୍ନ ଖେଳସାମଗ୍ରୀ, ଚାଲିବା, ଦୌଡ଼ିବା ପାଇଁ ବ୍ୟବସ୍ଥା କରାଯିବା ସହ ସୁଇମିଂ ପୁଲ୍ ନିର୍ମାଣ କରାଯାଇଛି ।
କଣ୍ଟ୍ରାକ୍ଟରଙ୍କ କହିବା କଥା, ସାଧାରଣତଃ ବାହାରେ ପୋଷା କୁକୁରଙ୍କୁ ବୁଲାଇଲେ ବୁଲା କୁକୁରଙ୍କ ମଧ୍ୟରେ କାମୁଡ଼ାକାମୁଡ଼ି ହୋଇଥାନ୍ତି । ଏମିତି କି ବୁଲାକୁକୁର ବି ମଣିଷଙ୍କୁ କାମୁଡ଼ିବା ଭଳି ଅପ୍ରୀତିକର ଘଟଣା ମଧ୍ୟ ଘଟେ । କିନ୍ତୁ ଯଦି ଲୋକମାନେ କୁକୁରମାନଙ୍କୁ ଏଠାକୁ ବୁଲିବାକୁ ଆଣନ୍ତି, ତେବେ ଏପରି ଘଟଣା ଘଟେ ନାହିଁ । ଆପଣଙ୍କୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଖୁବ୍ଶୀଘ୍ର ଏଠାରେ ଏକ ପ୍ରାଣୀ ଚିକିତ୍ସାଳୟ ମଧ୍ୟ ନିର୍ମାଣ କରାଯିବ । ଏହି ପାର୍କ ସକାଳ ୬ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ସହରର ସମସ୍ତ କୁକୁର ମାଲିକ ନିଜ କୁକୁରଙ୍କୁ ଧରି ଏହି ପାର୍କକୁ ଆସିଥାନ୍ତି ।
କୁକୁର ମାଲିକ କହିଛନ୍ତି ଯେ, ଏହି ପାର୍କ ଖୋଲିବାରେ ସେମାନେ ବହୁତ ଖୁସି ଅନୁଭବ କରିଛନ୍ତି । ଏହା ଏକ ଭଲ ପଦକ୍ଷେପ । ଏହାକୁ ଆହୁରି ଉନ୍ନତ କରାଯାଇପାରିବ ।
Comments are closed.