Latest Odisha News

BREAKING NEWS

ଭାଷା ଭାଗବତ : ମାତୃଭାଷା ହିଁ ମୂଳଦୁଆ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଦରମା-ଖିଆ ବାପା, ମାଆଁ
ଖୋଜିଲେ ଏ ସାରା ଦୁନିଆଁ
କେଉଁଠି ବି ମିଳିବେନାହିଁ
ଏ ସତ୍ୟ ବୁଝୁନୁ କିପାଇଁ ?

ସାନ ପୁଅ, ଝିଅଂକ ଯତ୍ନ
ଆଡ଼କୁ ଦେଲେ ଟିକେ ମନ
ଏବର ମାତା ଆଉ ପିତା
ହୋଇପାରଂତେ ଶିକ୍ଷାଦାତା

ଅଂତତଃ ପାଂଚ ବର୍ଷ ଯାଏଁ
ଶିଶୁଟେ ସେବା, ଯତ୍ନ ଚାହେଁ
ତା’ପରେ ଗଲେ ବିଦ୍ୟାଳୟ
ପାଏ ନୂତନ ପରିଚୟ

ପ୍ରଥମ ପାଂଚ ବର୍ଷ କାଳ
ପ୍ରଭାବ ପକାଇ ପ୍ରବଳ
ଶିଶୁକୁ କରିପାରେ ବ୍ୟକ୍ତି
ଏହା ହିଁ ଶୈଶବର ଶକ୍ତି

ମାଆଁର ଭାଷା ଶିଶୁ ଶିଖି
ବୁଝେ, କହେ ଓ ପାରେ ଲେଖି
ତାହା ହିଁ ହେଲେ ମୂଳଭିତ୍ତି
ବଢ଼ଇ ଜ୍ଞାନ ଅନୁରକ୍ତି

ଟିକିଏ ବଡ଼ ହେବା ପରେ
ଅନ୍ୟ ଭାଷା ସେ ଶିଖିପାରେ
ଥିଲେ ନିଜ ଭାଷାର ଜ୍ଞାନ
ଘଟଇ ବ୍ୟକ୍ତିତ୍ୱ ବର୍ଧନ

ମାତୃଭାଷା ହିଁ ମୂଳଦୁଆ
ତାକୁ ନିର୍ଭର କରି ଛୁଆ
ଶିଖିପାରେ ଅନ୍ୟାନ୍ୟ ଭାଷା
ବଢ଼ାଏ ବିଶ୍ବାସ, ଭରସା

ନ ଥାଏ ଏହାର ବିକଳ୍ପ
ବୁଝଂତୁ ବେଶି ଅବା ଅଳ୍ପ
କରଂତୁ ନିତି ବ୍ୟବହାର
ଘଟିବ ଉନ୍ନତି ଆମର

Comments are closed.