ଚେନ୍ନାଇ: ଦେଶର ପ୍ରଥମଥର ପାଇଁ ମହିଳାମାନେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ହେଲେ କ୍ରିଷ୍ଣାଭେନୀ, ଏସ୍ ରମ୍ୟା ଏବଂ ଏନ୍ ରଞ୍ଜିତା। ଏହି ତିନି ମହିଳା ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
ଏହି ତିନି ମହିଳା ରାଜ୍ୟ ସରକାରଙ୍କ ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ବିଭାଗ ଅଧୀନରେ ମନ୍ଦିର ପୁରୋହିତ ହେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କୁ ଶୀଘ୍ର ରାଜ୍ୟ ମନ୍ଦିରରେ ସହକାରୀ ପୁରୋହିତ ଭାବରେ ନିଯୁକ୍ତ କରାଯିବ। ଆଗାମୀ ଦିନରେ ସେମାନେ ଦୀର୍ଘଦିନ ଧରି ଚାଲିଆସୁଥିବା ପୁରୁଷ ପରମ୍ପରାକୁ ଭାଙ୍ଗି ରାଜ୍ୟର ମନ୍ଦିରଗୁଡ଼ିକରେ ସହକାରୀ ପୁରୋହିତ ଭାବେ ଦାୟିତ୍ୱ ତୁଲାଇବେ। ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ବିଭାଗ ଛଅ ପୁରୋହିତ ତାଲିମ ବିଦ୍ୟାଳୟ ଚଳାନ୍ତି, ଯେଉଁଠାରେ ସମସ୍ତ ସମ୍ପ୍ରଦାୟର ଲୋକମାନେ ପୁରୋହିତ ହେବାକୁ ତାଲିମ ଦେଇପାରିବେ। ମହିଳାମାନେ ପ୍ରଥମ ଥର ପାଇଁ ଏହି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।
ତାମିଲନାଡ଼ୁ ମନ୍ତ୍ରୀ ଶେଖର ବାବୁ ଶ୍ରୀରଙ୍ଗନାଥର ମନ୍ଦିର ଦ୍ୱାରା ପରିଚାଳିତ ଆର୍ଚାକର ଟ୍ରେନିଂ ସ୍କୁଲରେ ପ୍ରଶିକ୍ଷଣ ଶେଷ କରିଥିବା ପୁରୁଷଙ୍କ ସହ ଉକ୍ତ ୩ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମସ୍ତେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରରେ କାମ କରିବେ। ଅନ୍ୟପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ଅଶୁଦ୍ଧ ବୋଲି ବିବେଚନା କରାଯାଉଥିଲା ଏବଂ ମହିଳାଙ୍କୁ ଦେବତାଙ୍କ ମନ୍ଦିର ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଉନଥିଲା। ପାଇଲଟ୍ ଠାରୁ ଆରମ୍ଭ କରି ମହାକାଶଚାରୀ ଭାବରେ ମହିଳାଙ୍କ ସଫଳତା ସତ୍ତ୍ୱେ ସେମାନଙ୍କୁ ମନ୍ଦିର ପୁରୋହିତମାନଙ୍କ ପବିତ୍ର ଭୂମିକାରୁ ବାରଣ କରାଯାଇଥିଲା।
ଦେବତାମାନଙ୍କର ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଶୁଦ୍ଧ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଶେଷରେ ଏହି ଚିନ୍ତାଧାରା ପରିବର୍ତ୍ତନ ହୋଇଛି। ତାମିଲନାଡୁରେ ଡିଏମକେ ସରକାର ବିଭିନ୍ନ ଜାତିର ଲୋକଙ୍କୁ ପୁରୋହିତ ଭାବରେ ନିଯୁକ୍ତ କରି ଏକ ନୂତନ ପରିଚୟ ସୃଷ୍ଟି କରିଛି। ୨୦୨୧ରେ ଡିଏମ୍କେ ସରକାର କ୍ଷମତାକୁ ଆସିବା ପରେ ସମସ୍ତ ଜାତିର ଲୋକଙ୍କୁ ପୁରୋହିତ ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ଏହାପରେ ଉକ୍ତ ମହିଳାମାନେ ପୁରୋହିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ମହିଳାମାନେ ସମସ୍ତ କ୍ଷେତ୍ରରେ ଉପସ୍ଥିତ ଥିବା ବେଳେ ଏଭଳି ପ୍ରୟାସ ଉଦାହରଣ ପାଲଟିବ।
Comments are closed.