Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
ମୁମ୍ବାଇ: ଭାରତର ତୈଳ ବିଶୋଧନ କ୍ଷମତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ଭାରତକୁ ‘ରିଫାଇନିଂ ସୁପରପାୱାର’ ବା ତୈଳ ବିଶୋଧନ କ୍ଷେତ୍ରର ମହାଶକ୍ତି ବୋଲି ଅଭିହିତ କରିବା ସହ ଭେନେଜୁଏଲାରେ ତୈଳ ଉତ୍ପାଦନ ବୃଦ୍ଧି ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ଆଲୋଚନା କରିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାଏଦ୍ ଅଲ୍ ନାହୟାନ୍ଙ୍କ ମଧ୍ୟରେ ମୁମ୍ବାଇରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଦୁଇଟି କୂଟନୈତିକ ଘଟଣା ଭାରତର ଶକ୍ତି ସୁରକ୍ଷା ଓ ଅନ୍ତର୍ଜାତୀୟ ସମ୍ପର୍କ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି।
ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଙ୍ଗଳବାର ମୁମ୍ବାଇରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ଭାରତର ତୈଳ ବିଶୋଧନ କ୍ଷମତାକୁ ପ୍ରଶଂସା କରିଥିଲେ। ବିଶେଷକରି ଭାରତ ଭାରୀ ଅଶୋଧିତ ତୈଳ (ହେଭି କ୍ରୁଡ୍ ଅଏଲ୍) ବିଶୋଧନ କରିବାରେ ସୁସକ୍ଷମ ବୋଲି ସେ କହିଥିଲେ। ରୁବିଓଙ୍କ କହିବା ଅନୁଯାୟୀ, ଭାରତ ପୂର୍ବରୁ ମଧ୍ୟ ଭାରୀ ଅଶୋଧିତ ତୈଳ ବିଶୋଧନ କରିଆସିଛି। ଭବିଷ୍ୟତରେ ଭେନେଜୁଏଲାରୁ ଅଧିକ ପରିମାଣର ତୈଳ ବଜାରକୁ ଆସିଲେ ଭାରତର ଏହି କ୍ଷମତା ବିଶେଷ ଉପଯୋଗୀ ହୋଇପାରିବ। ଏହା ଦ୍ୱାରା ଭାରତୀୟ ତୈଳ କମ୍ପାନୀଗୁଡ଼ିକ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବା ସହ ଅନ୍ତର୍ଜାତୀୟ ତୈଳ ଯୋଗାଣ କ୍ଷେତ୍ରରେ ଭାରତର ଭୂମିକା ଆହୁରି ବଢ଼ିପାରେ।
ଭେନେଜୁଏଲାରେ ତୈଳ ଉତ୍ପାଦନ ବୃଦ୍ଧି କରିବା ସମ୍ପର୍କରେ ଆମେରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ଆଲୋଚନା କରିବ ବୋଲି ରୁବିଓ ସ୍ପଷ୍ଟ କରିଛନ୍ତି। ଭାରତୀୟ କମ୍ପାନୀଗୁଡ଼ିକର ଭେନେଜୁଏଲାରେ ତୈଳ ଉତ୍ତୋଳନ ସମ୍ପର୍କିତ ଅଧିକାର ଓ ରିହାତି ରହିଥିବାରୁ ସେଠାରେ ଉତ୍ପାଦନ ବଢ଼ାଇବାର ସୁଯୋଗ ରହିଛି ବୋଲି ସେ ସୂଚାଇଛନ୍ତି। ତେବେ ଏହି ଯୋଜନାକୁ ଆଗକୁ ନେବା ପାଇଁ କିଛି ଆହ୍ୱାନ ରହିଛି। ଭେନେଜୁଏଲା ଉପରେ ଲାଗୁ ହୋଇଥିବା ଆମେରିକୀୟ କଟକଣା ଏବଂ ଅନ୍ୟାନ୍ୟ ଆଇନଗତ ଓ ବ୍ୟବସାୟିକ ସମସ୍ୟାର ସମାଧାନ କରିବା ଆବଶ୍ୟକ। ଏହି ପ୍ରତିବନ୍ଧକଗୁଡ଼ିକର ସମାଧାନ ହେଲେ ହିଁ ଆଗାମୀ ପଦକ୍ଷେପ ନିଆଯାଇପାରିବ।
ଭାରତ ସହ ଏହି ବିଷୟରେ ପୂର୍ବରୁ ମଧ୍ୟ ଆଲୋଚନା ହୋଇଥିବା ରୁବିଓ କହିଛନ୍ତି। ଏହି ପ୍ରସ୍ତାବ ପ୍ରତି ନୂଆଦିଲ୍ଲୀ ଆଗ୍ରହ ଦେଖାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ତେବେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେଲେ ଭେନେଜୁଏଲାର ତୈଳ ଯୋଗାଣ କିଛି ମାତ୍ରାରେ ଚାପ ହ୍ରାସ କରିପାରିବ ବୋଲି ରୁବିଓ କହିଛନ୍ତି। କିନ୍ତୁ ଏହା ଅନ୍ୟ ଅଞ୍ଚଳରୁ ହେଉଥିବା ତୈଳ ଯୋଗାଣର ବାଧାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିପାରିବ ନାହିଁ। ତାଙ୍କ ମତରେ, ସ୍ୱଳ୍ପ ଅବଧିରେ ଭେନେଜୁଏଲାର ତୈଳ ଉତ୍ପାଦନ ବୃଦ୍ଧି କିଛି ଆଶ୍ୱସ୍ତି ଦେଇପାରେ। ଦୀର୍ଘକାଳୀନ ଭାବେ ଉତ୍ପାଦନ ବଢ଼ିଲେ ଏହା ବିଶ୍ୱର ତୈଳ ଯୋଗାଣର ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିବ। ଏଥିସହ ଭାରତ ନିଜର ଅଶୋଧିତ ତୈଳ କ୍ରୟକୁ ବିଭିନ୍ନ ଦେଶ ମଧ୍ୟରେ ବିସ୍ତାର କରିବା ଲାଗି ଯେଉଁ ପଦକ୍ଷେପ ନେଇଛି, ତାହାକୁ ରୁବିଓ ପ୍ରଶଂସା କରିଛନ୍ତି। ଏହାକୁ ସେ ଏକ ବୁଦ୍ଧିମାନ ପଦକ୍ଷେପ ବୋଲି କହିବା ସହ ଏ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଥିବା କହିଛନ୍ତି।
ଅନ୍ୟପକ୍ଷରେ, ମୁମ୍ବାଇରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ୟୁଏଇର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାଏଦ୍ ଅଲ୍ ନାହୟାନ୍ଙ୍କ ମଧ୍ୟରେ ଆଲୋଚନା ହୋଇଛି। ସୋମବାର ସନ୍ଧ୍ୟାରେ ଦୁଇଦିନିଆ ଭାରତ ଗସ୍ତରେ ମୁମ୍ବାଇରେ ପହଞ୍ଚିଥିଲେ ୟୁଏଇ ବୈଦେଶିକ ମନ୍ତ୍ରୀ। ସାଉଦି ଆରବକୁ ଲକ୍ଷ୍ୟ କରି ସମ୍ପ୍ରତି ହୋଇଥିବା ଆକ୍ରମଣ ଏବଂ ହୁତି ବିଦ୍ରୋହୀଙ୍କ ସମ୍ପୃକ୍ତି ନେଇ ଆସିଥିବା ରିପୋର୍ଟ ମଧ୍ୟରେ ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆଲୋଚନା ସମୟରେ ଜୟଶଙ୍କର କହିଛନ୍ତି ଯେ ପଶ୍ଚିମ ଏସିଆ ଓ ଉପସାଗରୀୟ ଅଞ୍ଚଳର ପରିସ୍ଥିତି ଭାରତ ପାଇଁ ଗଭୀର ଚିନ୍ତାର ବିଷୟ। ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଆଲୋଚନା ଓ କୂଟନୀତିକୁ ସମର୍ଥନ ଜାରି ରଖିବ।
ଜୟଶଙ୍କର ଆହୁରି କହିଛନ୍ତି ଯେ ଅନ୍ତର୍ଜାତୀୟ ବାଣିଜ୍ୟ, ଶକ୍ତି ଓ ସାରର ମୁକ୍ତ, ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଉପସାଗରୀୟ ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ଯତ୍ନ ନେଉଥିବାରୁ ସେ ୟୁଏଇ ନେତୃତ୍ୱକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରହିଲେ ଭାରତର ଶକ୍ତି ଆବଶ୍ୟକତା, ଅନ୍ତର୍ଜାତୀୟ ବାଣିଜ୍ୟ ଓ ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ହେବ।
ଭାରତ ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଉପରେ ମଧ୍ୟ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ୨୦୨୨ରେ ସ୍ୱାକ୍ଷରିତ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି (CEPA) ପରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିବା ସେ କହିଛନ୍ତି। ତାଙ୍କ ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ବେଳେ ପ୍ରତିରକ୍ଷା, ଶକ୍ତି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଆହୁରି ରଣନୈତିକ ରୂପ ନେଉଛି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ସାଂସ୍କୃତିକ ଆଦାନପ୍ରଦାନ ମଧ୍ୟ ଅଧିକ ସୁଦୃଢ଼ ହେଉଛି। ଭାରତ ଓ ୟୁଏଇ ପରସ୍ପରର ପ୍ରମୁଖ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ସହଯୋଗୀ ଭାବେ ରହିଛନ୍ତି। CEPA ସହିତ ଦୁଇ ଦେଶ ମଧ୍ୟରେ ନିଜସ୍ୱ ମୁଦ୍ରାରେ ଅର୍ଥ ପରିଶୋଧ ବ୍ୟବସ୍ଥା ଏବଂ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ମଧ୍ୟ ଏହି ସମ୍ପର୍କକୁ ଆଧାର ଯୋଗାଉଛି।

