Latest Odisha News

BREAKING NEWS

ନେତାଜୀ ବସ ଟର୍ମିନାଲ ଲୋକାର୍ପିତ; ପୁରୀକୁ ଗଡ଼ିଲା ପ୍ରଥମ ବସ୍

ଭୁବନେଶ୍ୱର: କଟକ ନେତାଜୀ ବସ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ । ଏହି ଟର୍ମିନାଲରେ ରହିପାରିବ ୧୯୨ଟି ବସ  ।  ଓଡିଶାର ସର୍ବବୃହତ ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ । ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ନେତାଜୀ ବସ ଟର୍ମିନାଲକୁ ଲୋକାର୍ପିତ କରିବା ସହ  ୩୪୧ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି । ଏଥିସହିତ  ୨୦୦ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ସହରବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କଟକ ମୋର ପ୍ରିୟ ସହର ।  ମୋର ଜନ୍ମଭୂମୀ ।  କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି, ରହିବ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମ କଟକ ସହର ପାଇଁ ଏକ ଉତ୍ସବର ଦିନ ।  କଟକ ଓଡିଶାବାସୀଙ୍କ ପ୍ରିୟ ସହର। କଟକର ପୂଜା, କଟକର ବାଲିଯାତ୍ରା, ବାରବାଟୀ କ୍ରିକେଟ ମ୍ୟାଚ, ଏସ୍.ସି.ବି. ମେଡିକାଲ କଲେଜ ସବୁବେଳେ ଓଡିଶାର ବଡ ପରିଚୟ ହୋଇ ରହିଛି। ଏହି ପରିଚୟକୁ ଆମକୁ ଆହୁରି ଗୌରବମୟ କରିବାକୁ ପଡିବ। ହଜାର ବର୍ଷର ସହର ଏହି କଟକ । ଏ ସହର ଏବେ ନୂଆ ରୂପ ନେଉଛି। ରୂପାନ୍ତର ପର୍ବ ଆଗେଇ ଚାଲିଛି। ଓଡିଶାର ଗର୍ବ ରେଭେନ୍ସା କଲେଜ ଆଜି ୟୁନିଭର୍ସିଟି ହୋଇଛି। ଏସ୍.ସି.ବି. ମେଡିକାଲ କଲେଜକୁ AIIMS Plus  Health Institutionରେ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, ଭିତ୍ତିଭୂମି ସବୁ କ୍ଷେତ୍ରରେ ରୂପାନ୍ତର ଏକ ସମୃଦ୍ଧ ଭବିଷ୍ୟତକୁ ନିର୍ଦ୍ଦେଶ କରୁଛି।
ଆପଣମାନଙ୍କ ସହଯୋଗରେ ଏହି ରୂପାନ୍ତର ପ୍ରକ୍ରିୟା ଆହୁରି ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣକୁ ଆହ୍ୱାନ କରିବା ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ, 5T ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବସ୍ତି ବାସିନ୍ଦାଙ୍କ ଜାଗା ମିଶନ ଆଦି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଯୋଜନା ସାଧାରଣ ଲୋକଙ୍କ ଭିତରେ ଭରଷା ସୃଷ୍ଟି କରି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ବୋଲି କହିଥିଲେ।
ଆଜି ଏହି ନୂତନ ଟର୍ମିନାଲରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କଲେ ପୁରୀ ପାଇଁ ପ୍ରଥମ ବସ୍। ଏହି ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାସଂଦ  ଭର୍ତ୍ତୃହରି ମହତାବ, ମେୟର  ସୁବାସ ସିଂ, ବିଧାୟକ  ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

Comments are closed.