ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ୍ ସେଣ୍ଟନର୍ ଭୁବନେଶ୍ୱରଙ୍କ ସୁଇଂ ବୋଲିଂକୁ ନେଇ ବଡ଼ ଚିନ୍ତା ପ୍ରକଟ କରିଛନ୍ତି । ନ୍ୟୁଜିଲାଣ୍ଡର ପିଚ୍ ଏବଂ କଣ୍ଡିସନ୍ ଭୁବନେଶ୍ୱରଙ୍କ ବୋଲିଂ ଶୈଳୀ ପାଇଁ ଅତ୍ୟନ୍ତ ଉପଯୁକ୍ତ ବୋଲି ସେଣ୍ଟନର୍ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱର ଭାରତର ସଫ୍ଟ ପିଚ୍ରେ ମଧ୍ୟ ବଲ୍ ସୁଇଂ କରାଇ ପାରନ୍ତି, ତେଣୁ ନ୍ୟୁଜିଲାଣ୍ଡରେ ନୂଆ ବଲ୍ ସାମ୍ନା କରିବା ଏକ ବଡ଼ ଚାଲେଞ୍ଜ ହେବ ।
୩୬ ବର୍ଷୀୟ ଭୁବନେଶ୍ୱର ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳି ୧୬ ମ୍ୟାଚ୍ରୁ ୨୮ ୱିକେଟ୍ ନେଇ ଦଳକୁ ଚାମ୍ପିୟନ୍ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଭୁବନେଶ୍ୱର ୮୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୯୦ଟି ୱିକେଟ୍ ଅଧିକାର କରିଛନ୍ତି । ଆଉ ମାତ୍ର ୧୦ଟି ୱିକେଟ୍ ନେଲେ ସେ ୧୦୦ ଟି-୨୦ ୱିକେଟ୍ ପୂରଣ କରିବେ । ନ୍ୟୁଜିଲାଣ୍ଡରେ ଭୁବନେଶ୍ୱରଙ୍କ ପ୍ରଦର୍ଶନ ଉତ୍ସାହଜନକ ନାହିଁ । ସେଠାରେ ସେ ୫ଟି ଟି-୨୦ ମ୍ୟାଚ୍ରୁ ମାତ୍ର ୪ଟି ଏବଂ ୧୦ଟି ଦିନିକିଆରୁ ୧୧ଟି ୱିକେଟ୍ ହାସଲ କରିଛନ୍ତି । ତଥାପି, ତାଙ୍କର ଅଭିଜ୍ଞତା ଏବଂ ସୁଇଂ କ୍ଷମତା ଯୋଗୁଁ କିୱି ବ୍ୟାଟ୍ସମ୍ୟାନ୍ମାନେ ତାଙ୍କୁ ନେଇ ସତର୍କ ଅଛନ୍ତି ।

