Latest Odisha News

BREAKING NEWS

ବିପଦ ସଙ୍କେତ ଉପରେ ନର୍ମଦା ନଦୀ, ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ: ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ଜଳ ପ୍ରବାହିତ ହେଉଛି। ଗୁଜୁରାଟରେ ପ୍ରବଳ ବର୍ଷା ହେବା ଯୋଗୁଁ ବହୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁମ୍ବାଇ-ଅହମଦାବାଦ ରେଲୱେ ମାର୍ଗରେ ମଧ୍ୟ ଜଳମଗ୍ନ ହୋଇଛି। ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ନର୍ମଦା ନଦୀ ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ରବିବାର ରାତିରୁ ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ପ୍ରାୟ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ପଶ୍ଚିମ ରେଳବାଇର ମୁଖ୍ୟ ପିଆରଓ ସୁମିତ ଠାକୁର ଏହି ସୂଚନା ଦେଇଛନ୍ତି। ସୁମିତ ଠାକୁରଙ୍କ କହିବା କଥା ହେଲା ନଦୀ ଏବେ ବି ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁଁ ଏହି ରୁଟ ଦେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏବଂ ମାଲବାହୀ ଟ୍ରେନ ଅଟକି ରହିଛି। ଟ୍ରେନରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଅନୁମାନ କରାଯାଉଛି କିଛି ଘଣ୍ଟା ମଧ୍ୟରେ ନଦୀ ଜଳ ଏହାର ବିପଦ ସ୍ତରରୁ ତଳକୁ ଖସିବ।

ସେହିପରି ଯାତ୍ରୀମାନଙ୍କୁ ଟ୍ରେନ ସମ୍ବନ୍ଧୀୟ ସୂଚନା ଯୋଗାଇବା ପାଇଁ ଏକ ହେଲ୍ପଲାଇନ ନମ୍ବର ବ୍ୟବସ୍ଥା କରାଯାଇଛି। ପଶ୍ଚିମ ରେଳବାଇ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ବନ୍ୟା ଯୋଗୁଁ କେତେକ ଟ୍ରେନ ବାତିଲ ହୋଇଛି, ଯେଉଁଥିରେ ତେଜସ ଏକ୍ସପ୍ରେସ ଏବଂ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ରହିଛି। ନର୍ମଦା ସମେତ ଅନେକ ନଦୀରେ ବନ୍ୟା ଜଳ ଅଧିକ ହୋଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଛି।

Comments are closed.