Latest Odisha News

ଦୁଇ ରାଉଣ୍ଡ ପରେ ବି ମେଡିକାଲ ପିଜିରେ ୧୩ ହଜାର ସିଟ୍ ଖାଲି, ବେଞ୍ଚ ମାର୍କ କମାଇଲେ ସରକାର

ନୂୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟରେ କାଉନସେଲିଂ ପରେ ପ୍ରାୟ ୧୩ ହଜାର ପିଜି ମେଡିକାଲ ସିଟ୍ ଖାଲି ପଡ଼ିଛି ଦେଶରେ। ଯାହାଫଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଗ୍ୟତା ପାଇଁ ଥିବା ବେଞ୍ଚ ମାର୍କକୁ ଶୂନକୁ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଦେଶରେ ମୋଟ ୬୮,୧୪୨ ପିଜି ମେଡିକାଲ ସିଟ୍ ରହିଛି। ଯାହା ନିଟ୍-ପିଜି ପରୀକ୍ଷାରେ ରାଙ୍କିଙ୍ଗ ଆଧାରରେ ପୂରଣ ହୋଇଥାଏ। ଚଳିତ ବର୍ଷ ୨.୨ ଲକ୍ଷ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା ଦେଇଥିଲେ।

ଯୋଗ୍ୟତା ପ୍ରତିଶତ ପ୍ରଥମେ ୫୦ ଧାର୍ଯ୍ୟ କରାଯାଇଥିଲା, ଅର୍ଥାତ୍ ୫୦% ଆବେଦନକାରୀ ସେମାନଙ୍କ ରାଙ୍କିଙ୍ଗ ଅନୁଯାୟୀ ସିଟ୍ ଦାବି କରିବା ପାଇଁ କାଉନସେଲିଂରେ ଭାଗ ନେଇପାରିବେ। ତେବେ ଦୁଇ ରାଉଣ୍ଡ କାଉନସେଲିଂ ପରେ ଅନେକ ସିଟ୍ ଖାଲି ପଡ଼ିଥିଲା, ଯାହା ଫଳରେ ମନ୍ତ୍ରାଳୟ ଯୋଗ୍ୟତା ପ୍ରତିଶତକୁ ଶୂନକୁ ଖସାଇ ଦେଇଛି। ଏପରିକି ଗତବର୍ଷ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଯୋଗ୍ୟତା ପ୍ରତିଶତ ୨୦କୁ ହ୍ରାସ କରାଯାଇଥିଲା।

ସର୍ବଭାରତୀୟ କୋଟାରେ ୩ ହଜାର ସିଟ୍ ଏବଂ ରାଜ୍ୟ କୋଟାରୁ ଅନେକ ସିଟ୍ କାଉନସେଲିଂ ପରେ ଖାଲି ରହିଥିବା ସୂତ୍ରରୁ ଜଣାପଡ଼ିଛି। ନିଟ୍-ପିଜି ପରୀକ୍ଷା ଦେଇଥିବା ସମସ୍ତ ମେଡିକାଲ ଗ୍ରାଜୁଏଟଙ୍କୁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦେବା ପଛରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ାଇବା ଲକ୍ଷ୍ୟ ରହିଛି, କିନ୍ତୁ କେବଳ ଯୋଗ୍ୟତା ଆଧାରରେ ସିଟ୍ ଆବଣ୍ଟନ କରାଯିବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ କିଛି ଛାତ୍ର ଆନାଟୋମି, ମାଇକ୍ରୋବାୟୋଲୋଜି, ଫିଜିଓଲୋଜି ଏବଂ ପାଥୋଲୋଜି ଭଳି ନନ୍-କ୍ଲିନିକାଲ୍ ସ୍ପେସିଆଲିଟିକୁ ଚୟନ କରନ୍ତି ଯେଉଁଥିପାଇଁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସିଟ୍ ଖାଲି ରହିଥାଏ। ଫଳରେ ଏହି ପାଠ୍ୟକ୍ରମ ପାଇଁ ଶିକ୍ଷକଙ୍କ ଅଭାବ ଦେଖାଦେଇଛି।

ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁଯାୟୀ, ସାଧାରଣତଃ ଏହି ସିଟ୍ ଗୁଡିକ ଘରୋଇ କଲେଜର ରହିଛି। ଯେଉଁଠି ଏବେ କୋର୍ସ ଫି ଏକ କୋଟି ସର୍ବନିମ୍ନ। ତାହା ପୁଣି ଭୁବନେଶ୍ବର ଭଳି ସ୍ଥାନରେ। ସେହିପରି ଛାତ୍ରଛାତ୍ରୀ ଏବେ ଏତେ ଟଙ୍କା ନଦେଇ ସରକାରୀ ମେଡିକାଲ କଲେଜରେ ପଢିବାକୁ ଆଗ୍ରହ ଦେଖାଉଛନ୍ତି। ଅନ୍ୟପଟେ ନିଜ ରାଜ୍ୟରେ ନିଜ ପସନ୍ଦର ବିଭାଗ ଏବଂ କଲେଜ ପ୍ରତି ଆଗ୍ରହ ଦେଖାଉଥିବା ଜଣାପଡିଛି। ସେହିପରି ଅନେକ ଛାତ୍ରଛାତ୍ରୀ ପରୀକ୍ଷାରେ ଆବଶ୍ୟକ ବେଞ୍ଚ ମାର୍କ ଛୁଇଁବାରେ ବିଫଳ ହେଉଛନ୍ତି।

ତେଣୁ ଏବେ ଯୋଗ୍ୟତା ପ୍ରତିଶତ ହ୍ରାସ ଫଳରେ ଖାଲି ଥିବା ସିଟ୍ ପୂରଣ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମ ଶିକ୍ଷାଦାନ ପାଇଁ ଶିକ୍ଷକ ମିଳିବା ସମ୍ଭାବନା ବଢ଼ିବ ବୋଲି ଆଶା କରାଯାଉଛି।

Comments are closed.