ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲମ୍ବା ମଣିଷ କିନ୍ତୁ ଛୋଟ ଗାଡ଼ିରେ ଯିବା ଆସିବା କରନ୍ତି। ସେ କଥା କମ୍, କାମରେ ବିଶ୍ବାସ କରନ୍ତି। ସେ ସଭାରେ ହାତ ହଲାଇ ଦେଲେ ଲୋକଙ୍କ ଭୋଟ ବର୍ଷା ହୁଏ। ଜାତୀୟ ଇଂରାଜୀ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ‘ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ’ ଅବସରରେ ମିଡିଆକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ସଂପୃକ୍ତ ସଂସ୍ଥାର ସମ୍ପାଦକ ପ୍ରଭୁ ଚାଓ୍ୱଲା।
ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଛିଡା ହେଲା ଭଳି ବିରୋଧୀ ଦଳରେ କୌଣସି ନେତାଙ୍କୁ ଦେଖିପାରୁ ନାହିଁ। ନବୀନ ପଟ୍ଟନାୟକଙ୍କ ଠାରେ ଯାଦୁ ରହିଛି। ସେ ଯାଦୁ କଣ ଜାଣିପାରିଲି ନାହିଁ । ସେ ଏଭଳି ଜଣେ ନେତା ଯିଏ ହାତ ହଲାଇ କମ୍ କଥା କହି ଅଧିକ ଭୋଟ୍ ପାଉଛନ୍ତି । ଓଡିଶାର ରାଜନୀତିରେ ନବୀନ ଜଣେ ଲମ୍ବା ମଣିଷ ହୋଇ ଛୋଟ ଗାଡିରେ ବସନ୍ତି। ଆଉ ସେ କମ୍ କଥା କୁହନ୍ତି କିନ୍ତୁ ବେଶୀ ଭୋଟ୍ ପାଆନ୍ତି। ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଉଭୟ କେନ୍ଦ୍ର ଓ ଓଡ଼ିଶାରେ ବିଶେଷ ପରିବର୍ତ୍ତନ ହେବ ବୋଲି କାହିଁ ହୃଦବୋଧ ହେଉନି।
ଏହାପରେ କିନ୍ତୁ ନବୀନଙ୍କ ଶାସନ ବ୍ୟବସ୍ଥାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ରାଜ୍ୟରେ ଚାଲିଥିବା ବାବୁତନ୍ତ୍ର ଶାସନ ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ଜଣେ ନେତା ଚାହିଁବନି ସେପର୍ଯ୍ୟନ୍ତ କୌଣସି ଅଧିକାରୀ କଣ କରିପାରିବେ କି ବୋଲି ସେ କହିଛନ୍ତି। ମନଇଛା କୌଣସି ଅଧିକାରୀ ନିଜ ହୁକୁମ୍ ଚଲାନ୍ତି ନାହିଁ କାରଣ ସେମାନେ ଜାଣିଛନ୍ତି ତାଙ୍କ ଉପରେ ନେତା ଅଛନ୍ତି। ଏପରି କହି ସେ ପରୋକ୍ଷରେ ରାଜ୍ୟରେ ସବୁଠୁ ପ୍ରଭାବୀ ଥିବା ମୁଖ୍ୟମନନ୍ତ୍ରୀଙ୍କ ବ୍ୟକ୍ତିଗଚ ସଚିବ ଭି.କେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ସେହିପରି ପରୋକ୍ଷରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସଂସ୍ଥା ବିରୋଧରେ ଯେଉଁଭଳି ରେଡ୍ ହୋଇଛି ତାକୁ ନାପସନ କରିଛନ୍ତି। ଓଡ଼ିଶା ସାମ୍ବାଦିକତାରେ ଯାହା ହୋଉଛି ତାହା ଠିକ୍ ହେଉ ନାହିଁ। ଆଉ ଭଲ ସାମ୍ବାଦିକତାର ଆବଶ୍ୟକ ରହିଛି ବୋଲି କହିଛନ୍ତି।
ଏବେ ସାମ୍ବାଦିକଙ୍କର ଶତ୍ରୁ ତାଙ୍କର ସହଯୋଗୀ ସାମ୍ବାଦିକ। ଯାହା ଗୋଟିଏ ବଡ଼ ବିପଦ। ନିଜ ୪୦ ବର୍ଷର ସାମ୍ବାଦିକତାର ଅନୁଭୂତିରୁ ସେ କହିଛନ୍ତି ଯଦି ସାମ୍ବାଦିକ ଆଉ ସମ୍ପାଦକ ନିଜ କଥାରେ ଅଟଳ ରହିବେ ତାହେଲେ ତାଙ୍କୁ କେହି ନୁଆଇଁ ପାରିବେ ନାହିଁ। ଭଲ ଷ୍ଟୋରୀ ଓ ଭଲ ସାମ୍ବାଦିକଙ୍କୁ କେହି ଦବେଇ ପାରିବେ ନାହିଁ। ଯଦି ଆମେ କାହା ଆଗରେ ନଇଁ ଯାଉଛୁ ତେବେ ଦୋଷ ଆମର। ସାମ୍ବାଦିକଙ୍କ ନିଜ କାମ ଠିକରେ କରିବାର ଅଛି କାହାକୁ ଦୋଷ ନ ଦେଇ।
Comments are closed.