Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରାତ୍ର ବେଶ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ବିଷୟରେ ବ୍ୟାପକ ଆଲୋଚନା ଜାରି ରହିଛି, ସେହି ପରିପ୍ରେକ୍ଷୀରେ ଆମେ ଆଲୋଚନା କରିଥିଲେ ରାତ୍ର ଧୂପ ବିଷୟରେ। ବର୍ତ୍ତମାନ ଆଲୋଚନା କରିବାଶ୍ରୀଜୀଉମାନଙ୍କ ରାତ୍ର ବେଶ ବିଷୟରେ। ରାତ୍ର ରାଜ ଭୋଗ ବା କୋଠ ଭୋଗ ସମାପନ ପରେ ଯେଉଁ ବହୁ ଆକାଂକ୍ଷୀତ ବେଶ ଟି ହୁଏ ତାହା ହେଉଛି “ବଡ଼ ସିଂହାର ବେଶ “ବା ରାତ୍ର ବେଶ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି ବେଶଟି ସବୁଠାରୁ ଆକର୍ଷଣୀୟ ହୋଇଥାଏ। କାରଣ ପୂଜକ ତଥା ସେବକମାନେ ପ୍ରଭୁଙ୍କର ପହୁଡ଼ ପୂର୍ବରୁ ଏହି ବେଶ କରିଥାନ୍ତି, ଏଥିରେ ଶ୍ରୀଜୀଉମାନେ ସବୁଠାରୁ ପସନ୍ଦର ବସ୍ତ୍ର ଗୀତ ଗୋବିନ୍ଦ ପାଟ କିମ୍ବା ଏହାର ଅଭାବରେ ସୁକ୍ଷ୍ମ ପାଟ ବସ୍ତ୍ର ପରିଧାନ କରିଥାନ୍ତି। ଏହି ସମୟରେ ଅଧରମାଳ ସମେତ ବିଭିନ୍ନ ପୁଷ୍ପ ଅଳଙ୍କାର ଶ୍ରୀଜୀଉ ମାନଙ୍କୁ ପ୍ରଦାନ କାରାଯାଏ। ଠାକୁରମାନଙ୍କ ଗଭା ଓ ହୃଦ ଦେଶରେ ନଖ ତୁଳସୀ, କର୍ପୁର, ସହ ଘୋରା ଚନ୍ଦନ ସ୍ଥାପନ ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ କର୍ପୁର ମଧ୍ୟ ଲାଗି ହୋଇଥାଏ କେବଳ ସେତିକି ନୁହେଁ ଭକ୍ତମାନେ ପ୍ରଦାନ କରିଥିବା ଦୟଣା ମରୁଆ ଇତ୍ୟାଦି ମଧ୍ୟ ଲାଗି ହୋଇଥାଏ। ଯଥା ସମ୍ଭବ ଭାବେ ଶ୍ରୀମନ୍ଦିର ପରିଚାଳନା ସଂସ୍ଥା ଏହି ମରୁଆ ଓ ଦୟଣା ମଧ୍ୟ ସଂଗ୍ରହ କରିଥାନ୍ତି। ଏହି ଦିବ୍ୟ ବେଶ ପାଇଁ କିଛି ଭକ୍ତ ଓ ଶ୍ରଦ୍ଧାଳୁ ନିୟମିତ ଭାବେ ଶ୍ରୀମନ୍ଦିରକୁ ତୁଳସୀ, ଦୟଣା, ମରୁଆ ଇତ୍ୟାଦି ସଂଗ୍ରହ କରି ଦେଇଥାନ୍ତି। ଏହା ଏକ ନିଶୁଳ୍କ ଓ ନିଷ୍ଠାପର ସେଵା ଅଟେ । କିଛି ସମୟ ବେଶ ଦର୍ଶନ ପାଇଁ ଛାଡିବା ପରେ ଠାକୁରମାନଙ୍କ ସେହିଦିନର ଶେଷ ସେବା ପରେ ସର୍ବ ଶେଷ ନୀତି ଭାବେ ରାତ୍ର ପହୁଡ଼ ନୀତି ର ବ୍ୟବସ୍ଥା କାରାଯାଏ। ବର୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ସଭାର ଦୋଷ ଯେ ଜାଣନ୍ତି
ବିଚାରି ପ୍ରବେଶ ନୁହଁନ୍ତି।
ଜାଣି ନ ଜାଣି ପକ୍ଷ ବହି
ନରକେ ପଡନ୍ତି ସେ ଯାଇ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.