Latest Odisha News

ଜନ୍ମଭୂମିର ଐହିତ୍ୟ ମୋ ସାହିତ୍ୟ ସର୍ଜନାର ମୂଳ ଉତ୍ସ : କାକଳି ମହାପାତ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ କାକଳି ମହାପାତ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ମୋ ମାଟିରେ ଭରି ରହିଛି କଳା, ସଂସ୍କୃତି, ପରମ୍ପରା ଓ ସାହିତ୍ୟ ସର୍ଜନା । ଏଇଠି ଜନ୍ମ ନେଇଥିଲେ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଇଥିବା ପଞ୍ଚସଖା ଗଣ । ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ଦାସ, କୃପାସିନ୍ଧୁ ମିଶ୍ର, ନିଳକଣ୍ଠ ଦାସ ଏବଂ ଗୋଦାବରୀଶ ମିଶ୍ର। ଏହି ପାଞ୍ଚଜଣ ମିଶି ଗଢ଼ିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ। ଯେଉଁଠି ପିଲାମାନଙ୍କୁ ଗୁରୁକୂଳ ଢ଼ାଞ୍ଚାରେ ଦିଆଯାଉଥିଲା ଶିକ୍ଷା। ଏହି ବନ ବିଦ୍ୟାଳୟକୁ ମଣିଷ ତିଆରି କାରଖାନା ବୋଲି ସମସ୍ତେ ଜାଣନ୍ତି। ଏଇଠୁ ତିଆରି ହୋଇଛନ୍ତି ଅନେକ ସାହିତ୍ୟିକ, ବୈଜ୍ଞାନିକ, ଗବେଷକ, ପ୍ରଚାରକ, ସାମ୍ବାଦିକ, ଶିକ୍ଷାବିତ୍, ଓକିଲ ଓ ରାଜନିତୀଜ୍ଞ। ଏଠାରୁ ଅଧ୍ୟୟନ କରୁଥିବା ପ୍ରତିଟି ଶିଷ୍ୟଙ୍କ ମନରେ ରହୁଥିଲା ସମାଜ ସେବାର ମନୋଭାବ। ଏଠାରେ ରାତି ପାହିଲେ ସାହିତ୍ୟ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା। ସତ୍ୟବାଦୀରୁ ହିଁ ସାହିତ୍ୟର ସୃଷ୍ଟି, ଜନ୍ମ ବା ସର୍ଜନା। ମୁଁ ଭାବେ ସେହି ପବିତ୍ର ମାଟିରେ ଜନ୍ମ ଗ୍ରହଣ କରି କୋଉଠି ନା କୋଉଠି ମୋ ରକ୍ତରେ ମଧ୍ୟ ସାହିତ୍ୟ ରକ୍ତ ବହିଯାଇଛି । ଲେଖାଲେଖି ପାଇଁ ମୋ ବଡ଼ ଭଉଣୀ ହିଁ ମୋର ପ୍ରେରଣା ‌। ସେ ହିଁ ମୋତେ ଲେଖିବାପାଇଁ ରାସ୍ତା ଦେଖେଇଛି ।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ଆଗରୁ କହିଛି ମୋ ଭଉଣୀ ମୋ ଲେଖାର ପ୍ରେରଣା। ତେଣୁ ତା ଆଦର୍ଶରେ ମୋ’ର ପ୍ରଥମ ଲେଖା ଏକ କ୍ଷୁଦ୍ର ଗଳ୍ପ ଥିଲା “ଅଜବ ସର୍ତ୍ତ” ସେ ମୋତେ ଖାଲି ସାରାଂଶ ବୁଝେଇ ଦେଇଥିଲା… ତାପରେ ମୁଁ ନିଜେ ଲେଖିଥିଲି। ସେହି ଲେଖାରେ ଯୌତୁକ ପ୍ରଥାକୁ ନେଇ ମୁଁ ଲେଖିଥିଲି ଆଉ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲି। ସେଥିରେ ମିଳିଥିବା ପ୍ରତ୍ୟେକଟି ମତାମତ ମୋତେ ଆଗକୁ ଲେଖିବାରେ ବହୁତ ପ୍ରେରିତ କରିଥିଲା । ତାପରେ ଗଳ୍ପ, କବିତା, ଧାରାବାହିକ ଧିରେ ଧିରେ ଲେଖିଲି । ମୋ ରଚିତ ପାରିବାରିକ ଧାରାବାହିକ କାହାଣୀ “ଶେଷ ସମ୍ପର୍କ” ଏବଂ ହରର୍ କାହାଣୀ “କିଏ ଗୋଟେ ଅଛି” ମୋତେ ସମସ୍ତଙ୍କ ଗ୍ରହଣର ବେଶି ପରିଚିତ କରିପାରିଛି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସମସ୍ତ ଲେଖକ ଲେଖିକାମାନଙ୍କର କଲମରେ ସାହିତ୍ୟ ନାଁରେ ସମାଜକୁ କିଛି ନା କିଛି ବାର୍ତ୍ତା ନିହାତି ରହିଥାଏ ‌। କହିବାକୁ ଗଲେ ସାହିତ୍ୟ ଓ ସମାଜ ଦୁହେଁ ଦୁହିଁଙ୍କ ସହିତ ଜଡିତ । ତେଣୁ ସମାଜରେ ମୋ ଆଖି ଆଗରେ ଯାହା ଘଟେ ମୁଁ ଲେଖେ ଏବଂ କିଛି ବାର୍ତ୍ତା ଯୋଡ଼ିବା ପାଇଁ ଚେଷ୍ଟା କରେ ।

ମୁଁ କାହିଁକି ଲେଖେ?

ଯେତେବେଳେ ମୋତେ ସମୟ ମିଳେ କିମ୍ବା ମୋ ମନକୁ କିଛି ଆସିଯାଏ ମୁଁ କିଛି ନା କିଛି ଲେଖିଦିଏ। ଆସ୍ତେ ଆସ୍ତେ ଲେଖୁ ଲେଖୁ ଅନେକ କିଛି ଲେଖି ଦେଇଛି। କବିତା ଓ କ୍ଷୁଦ୍ର ଗଳ୍ପରୁ ମୋର ଅଭିଯାନ ଆରମ୍ଭ । ପରେ ଅନେକ ଧାରାବାହିକ କାହାଣୀ ଲେଖିଛି। ଲେଖିବା ସମୟରେ ସବୁକିଛି ଭୁଲି ଚରିତ୍ର ଭିତରେ ନିଜକୁ ମୁଁ ହେଜେଇ ଦିଏ। କବିତା, କ୍ଷୁଦ୍ରଗଳ୍ପ ଓ ଧାରାବାହିକ ଲେଖାଲେଖି କରିବାକୁ ବହୁତ ଭଲପାଏ।

ତାଙ୍କ ରଚନାରୁ ଗପ : ହଜି ଯାଇଥିବା ଅସ୍ତିତ୍ଵ

ଡାକ୍ତରଖାନାର ଲେବର ରୁମ୍ ବାହାରେ ଅନ୍ଧାରରେ ଏପଟସେପଟ ହେଉଥାନ୍ତି ରାମନାଥ। ଲେବର ରୁମ୍ ର ଶଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ଅହଲ୍ୟା। ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥାଏ ତାଙ୍କର। କିଛି ସମୟର ଅପେକ୍ଷାରେ ଡାକ୍ତର ଆସି କହିଲେ, “ପୁଅଟିଏ ହୋଇଛି। ଖୁସିର ସୀମା ନାହିଁ ରାମନାଥଙ୍କର। ୱାର୍ଡ଼ ଶଯ୍ୟାକୁ ଅହଲ୍ୟାଙ୍କୁ ସ୍ଥାନାନ୍ତରିତ କରାଗଲା। ପୁଣି ଥରେ ଝିଅଟିଏ ହୋଇଥିଲେ ବାର ଲୋକଙ୍କଠାରୁ ତେର କଥା ଶୁଣିବାକୁ ମିଳିଥାଆନ୍ତା। ପୁଅଟେ ହେବା ଖୁସିରେ ମିଠା ବାଣ୍ଟିଲେ ଗାଁ ସାରା। କାରଣ ଚାରି ଝିଅ ହେବା ପରେ ପୁଅଟିଏ ହୋଇଛି। ଚାରି ଝିଅଙ୍କଠାରୁ ଗେହ୍ଲା ହେଲା କୋଳପୋଛା। ଭଗବାନ ଶଙ୍କରଙ୍କୁ ପୂଜି ଆଶୀର୍ବାଦ ସ୍ୱରୂପ ପୁଅଟିଏ ହୋଇଛି, ତେଣୁ ପୁଅର ନାମ ଦେଲେ “ଶିବାଶୀର୍ବାଦ”। ଗେହ୍ଲାରେ ସମସ୍ତେ ଡାକନ୍ତି ଶିବା।

ସମୟ ବଦଳିବା ସହ ଶିବା ମଧ୍ୟ ବଡ ହେଉଥାଏ। ସାନ ପୁଅ; ସେଥିପାଇଁ ଘରେ ଭଉଣୀମାନଙ୍କଠାରୁ ଆରମ୍ଭ କରି, ବାପା ମାଆ ସମସ୍ତଙ୍କର ଗେହ୍ଲାପୁଅ ସେ। ଘରକୁ ଆସୁଥିବା ପ୍ରତ୍ୟେକଟି ଜିନିଷରେ ତା’ର ଭାଗ ଅଧିକ। ଗେଲବସର ହୋଇ ହୋଇ ଶିବାର ସପ୍ତମ ଶ୍ରେଣୀ ଶେଷ ହେଲା। ଅଷ୍ଟମ ଶ୍ରେଣୀଠାରୁ ତା’ର ହାଇସ୍କୁଲରେ ନାମ ଲେଖେଇଲେ ରାମନାଥ। କିଶୋର ଅବସ୍ଥାରେ ଉପନୀତ ହେବା ପରେ, ଧିରେ ଧିରେ ଶିବାର ଚାଲିଚଳନରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଲା। ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ନାମ ଲେଖା ଯାଇଥିଲା ତାର। ପ୍ରଥମରୁ ସ୍କୁଲ ଯାଉଥିଲେ ବି ପରବର୍ତ୍ତୀ ସମୟରେ ସ୍କୁଲ ଯିବାକୁ ସଙ୍କୋଚ ବ୍ୟକ୍ତ କଲା ସେ। ଘରେ ଥିବା ବେଳେ, ତାର ଖାଲି ଭଉଣୀମାନଙ୍କ ପୋଷାକ ପରିଧାନ କରିବାକୁ ଇଚ୍ଛା ହୁଏ। ସେମାନଙ୍କ ପୋଷାକ ପିନ୍ଧି, ମୁଁହରେ ପାଉଡର ମାଖି ହୋଇ, ମଥାରେ ଟିକିଲି ମାରି, ଅବିକଳ ନିଜ ଭଉଣୀମାନଙ୍କ ଭଳି ସଜେଇ ହୁଏ ସେ। ହାତରେ ଖଣ୍ଡେ ଭ୍ୟାନିଟ ବ୍ୟାଗ୍ ଧରି ଅଣ୍ଟାକୁ ହଲେଇ ହଲେଇ  ମଡେଲର ହୋଇ ଚାଲେ। ଘର ଲୋକ ସମସ୍ତେ ଦେଖି ହସି ହସି ଗଡନ୍ତି। ଭଉଣୀମାନେ କୁହନ୍ତି, “ବାଃ ଶିବା! ତୁ ଆର ବର୍ଷକୁ ବିଶ୍ଵସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରେ। କିନ୍ତୁ ଶିବାର ମନରେ କଣ ଚାଲିଛି କେହି ବୁଝିବାକୁ ଚେଷ୍ଟା କରନ୍ତିନି।

ସ୍କୁଲ ଗଲେ ସାଙ୍ଗମାନେ ତାର ଚାଲି ଚଳଣି ଦେଖି ଭିନ୍ନ ଭିନ୍ନ କଥା କହି ଚିଡାନ୍ତି ତାକୁ। ସ୍କୁଲ ପିଲା ଶିବା ପରିବର୍ତ୍ତେ ତାକୁ ଛକା ବୋଲି ଡାକନ୍ତି। ତାକୁ ରାସ୍ତାରେ ଦେଖିବା ମାତ୍ରେ ହାଏ ହାଏ କୁହନ୍ତି। କିଛି ବୁଝିପାରେନି ଶିବା। କ’ଣ ହେଉଛି ତା ସହ ଏସବୁ। ଯଥାସାଧ୍ୟ ଚେଷ୍ଟା କରେ ସେ ପୁଅମାନଙ୍କଠାରୁ ଦୂରେଇ ରହିବା ପାଇଁ। ସ୍କୁଲ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଗଲେ ଲାଜ ଲାଗେ ତାକୁ। ଏସବୁ ବିଷୟରେ ଘରେ ଜଣେଇବାକୁ ମଧ୍ୟ ସେ ଉଚିତ ମନେ କରିଲାନି। ସ୍କୁଲର ପିଲାଗୁଡାକ ବହୁତ ହଇରାଣ ହରକତ ତାକୁ କରିଲେ। କେତେବେଳେ ଅଣ୍ଟାରେ ହାତ ମାରିଦିଅନ୍ତି ତ କେତେବେଳେ ତାକୁ ଜୋର ଜବରଦସ୍ତ ଭିଡି ଧରନ୍ତି। ତେଣୁ ସ୍କୁଲ ଯିବା ପାଇଁ ଯେତେ ମନା କରିଲେ ମଧ୍ୟ ରାମନାଥ ଜୋର ଜବରଦସ୍ତ ନେଇ ଛାଡି ଆସନ୍ତି ତାକୁ ସ୍କୁଲରେ। ତା ପରେ ସ୍କୁଲରୁ ବାହାରି ଆସି ସ୍କୁଲ୍ ପାଖରେ ଥିବା ଏକ ଦୋକାନ ପଛ ପଟେ ଲୁଚି ରହେ, ସ୍କୁଲ ଛୁଟି ସମୟ ହେଲେ ଘରକୁ ଫେରେ ।

ଶିବା ଯେତିକି ବଡ ହେଉଥାଏ ତା’ର ଚାଲି ଚଳଣ ସବୁ ପରିବର୍ତ୍ତନ ହେଉଥାଏ‌। ପୁରୁଷର ଲକ୍ଷଣ ପରିବର୍ତ୍ତେ ନାରୀମାନଙ୍କର ଲକ୍ଷଣ ଅଧିକ ମାତ୍ରାରେ ଦେଖା ଯାଉଥାଏ। ଲୁଚି ଲୁଚି ଭଉଣୀ ମାନଙ୍କର ପୋଷାକ ପରିବର୍ତ୍ତେ ଏବେ ନିଜ ମାଆଙ୍କର ଶାଢୀ ପିନ୍ଧିବାକୁ ବେଶି ପସନ୍ଦ କରେ ସେ। କଥା କହିବାର ଶୈଳୀ ମଧ୍ୟ ଭିନ୍ନ। ଶିବାର ଏଭଳି ପରିବର୍ତ୍ତନ ଦେଖି ରାମନାଥ ଏବଂ ଅହଲ୍ୟା ଚିନ୍ତାରେ ପଡିଗଲେ। ଏକ ପୁରୁଷ ପାଖରେ ଯାହା ସବୁ ଲକ୍ଷଣ ଦେଖାଯିବା କଥା ତାହା ସବୁ ଶିବା ପାଖରେ କିଞ୍ଚିତ ମାତ୍ର ନାହିଁ। ଏସବୁ ଦେଖି ରାମନାଥ ସ୍ଥିର କରନ୍ତି, ଶିବାକୁ ଡାକ୍ତରଙ୍କ ପାଖକୁ ନେବେ ଏବଂ ନିଅନ୍ତି ମଧ୍ୟ। କିନ୍ତୁ ଡ଼ାକ୍ତର କୁହନ୍ତି, ଜଣ ଜଣଙ୍କ ପାଖରେ ଏସବୁ ଲକ୍ଷଣ ବିଳମ୍ବରେ ପ୍ରସ୍ଫୁଟିତ ହୁଏ। ତେଣୁ ଚିନ୍ତା କରିବାର କୈାଣସି କାରଣ ନାହିଁ। ଡାକ୍ତରଙ୍କ ପାଖରୁ ଏସବୁ କଥା ଶୁଣି ରାମନାଥ ଟିକେ ଆଶ୍ଵସ୍ତି ଲାଭ କରନ୍ତି। ଡାକ୍ତରଙ୍କ କଥା ଆସି ଘରେ କହିବାରୁ ଘର ଲୋକ କୁହନ୍ତି, “ଭଉଣୀମାନଙ୍କ ପାଖରେ ଗେହ୍ଲା ହେଇ ହେଇ ଏମିତି ହେଉଛି ସେ।

ସ୍କୁଲରେ ଦୁଷ୍ଟ ପିଲାମାନଙ୍କର ଅତ୍ୟାଚାର ସହି ସହି ହାଇସ୍କୁଲ ଶିକ୍ଷାର ସମାପ୍ତ ହୁଏ ତା’ର। ଦଶମ ପରେ ଯୁକ୍ତ ଦୁଇରେ ନାମ ଲେଖା ହୁଏ ତାର। ପ୍ୟାଣ୍ଟ୍ ସାର୍ଟ ପରିବର୍ତ୍ତେ ଚୁଡ଼ିଦାର୍ ପଞ୍ଜାବୀ ସହ ଓଢଣୀ ପିନ୍ଧି କଲେଜ ଯାଏ। କଲେଜ ଯାଇ ଝିଅମାନଙ୍କ ସହ ମିଶିବାକୁ ଅଧିକ ପସନ୍ଦ କରେ ସେ। କଲେଜରେ ମଧ୍ୟ ସମଦଶା ଭୋଗିବାକୁ ପଡ଼େ। ପୁଅମାନେ ତାକୁ ଜବରଦସ୍ତି ନିବୁଜ ଶ୍ରେଣୀ ଗୃହକୁ ନେଇ ତା ସହ  ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରନ୍ତି‌। ଆହୁରି ଅଧିକରୁ ଅଧିକ ସେ ଝିଅ ପିଲାଙ୍କ ପ୍ରତି ଆକୃଷ୍ଟ ହେଉଥାଏ। ଗାଁ ର ଯୁବକମାନେ ମଧ୍ୟ ତାକୁ ବାର କଥା କହିବାକୁ ଆରମ୍ଭ କରି ଦିଅନ୍ତି। କଲେଜରୁ ଫେରୁଥିବା ସମୟରେ ଏକଲା ଦେଖିଲେ ଶୂନଶାନ ଜାଗାକୁ ନେଇ ଶାରୀରିକ ଅତ୍ୟାଚାର କରନ୍ତି ତାକୁ। ଶିବାର ଶରୀରରେ ତିଳେ ମାତ୍ର ପୌରୁଷତ୍ବର ଲକ୍ଷଣ ପାଆନ୍ତି ନାହିଁ ରାମନାଥ। ଶିବା ପ୍ରତି ତାଙ୍କ ମନରେ ଖାଲି ଘୃଣା ସୃଷ୍ଟି ହୁଏ। ଫଳତଃ, ଏଭଳି ସନ୍ତାନକୁ ଜନ୍ମ ଦେଇ ଥିବାରୁ ପତ୍ନୀ ଅହଲ୍ୟାଙ୍କୁ ବାରମ୍ବାର ଭର୍ତ୍ସନାର ସାମ୍ନା କରିବାକୁ ପଡ଼େ। ଭଉଣୀମାନେ ମଧ୍ୟ ପ୍ରତି କଥାରେ ମାଈଚିଆର ଆକ୍ଷେପ ଲଗାନ୍ତି ଶିବା ଉପରେ। ନିଜ ଭାଇର ପରିଚୟ ଦେବାକୁ ମଧ୍ଯ ଆଶଙ୍କା କରନ୍ତି ସେମାନେ।

ଏସବୁକୁ ସହ୍ୟ ନ କରି ପାରି ଶିବା ନିଷ୍ପତ୍ତି ନିଏ, ଘର ଛାଡି ଚାଲିଯିବା ପାଇଁ। କିନ୍ତୁ ଅହଲ୍ୟାଙ୍କ ଆଖିର ଲୁ଼ହ ତାକୁ ଘର ଛାଡି ଯିବାରୁ ବଞ୍ଚିତ କରେ। ହୃଦୟର କୋହକୁ ଆଖିର ଲୁହରେ ବୁହାଉ ଥାଏ ସେ। ମନେ ମନେ ନିଜକୁ ପଚାରୁଥାଏ ସେ, ତାର ଏଭଳି ହେବା ପଛରେ କିଏ ଦାୟୀ ? ସମସ୍ତଙ୍କ ପାଖରୁ ପ୍ରତି କ୍ଷଣରେ ଅପମାନ ପାଇ ପାଇ, ଶେଷ ନିଷ୍ପତ୍ତି ନିଏ ଆତ୍ମହତ୍ୟା କରିବା ପାଇଁ। କିନ୍ତୁ ସେ ଭାବେ ମଣିଷ ଜନ୍ମ ହେଉଛି ଭଗବାନଙ୍କ ଆଶୀର୍ବାଦ, ତାକୁ ଶେଷ କରିବାର ଅଧିକାର ନାହିଁ ତାର। ଯିଏ ତାକୁ ଏ ସଂସାରକୁ ଆଣିଛନ୍ତି ସେ ତା ଭାଗ୍ୟରେ ଯାହା ଲେଖିଛନ୍ତି, ସେସବୁକୁ ତାକୁ ମଥାପାତି ସହିବାକୁ ପଡିବ। ନିଜ ପରିବାର ଲୋକଙ୍କର ତା ପ୍ରତି ଏମିତି ଘୃଣାଭାବ ଦେଖି ନିଜକୁ ଅସହାୟ ମନେ କରେ ସେ। ସେମାନଙ୍କ ପାଇଁ ବହୁତ ଚେଷ୍ଟା କରେ ପୁରୁଷମାନଙ୍କ ଭଳି ବ୍ୟବହାର କରିବାକୁ, କିନ୍ତୁ ପାରେନି। ସବୁବେଳେ ଝିଅମାନଙ୍କ ବେଶ ପୋଷାକ ପ୍ରତି ଆକର୍ଷିତ ହୁଏ ସେ। ତେଣୁ ସେ ନିଜକୁ ପୁଅ ନା ଝିଅ ଦ୍ଵନ୍ଦ୍ୱରୁ ନିବୃତ୍ତ କରିବା ପାଇଁ ନିଷ୍ପତ୍ତି ନିଏ, ନିଜ ମନ ଯାହା ଚାହୁଁଛି ସେ ତାହା କରିବ। ଫଳସ୍ଵରୂପ, ସେ ନିଜ ଘରୁ ବିତାଡ଼ିତ ହୁଏ।

ଛାତିରେ ଛାତିଏ ଦୁଃଖ କୁ ଜାବୁଡ଼ି ଧରି ଆସି ପହଞ୍ଚେ ଏକ ଅଜଣା ସହରରେ। ସେ ବହୁତ ସଂଘର୍ଷ କରେ ପେଟକୁ ମୁଠେ ଦାନା ଯୋଗାଇ ଦେବା ପାଇଁ। ରେଳ ଷ୍ଟେସନ ସାଜିଯାଏ ତା’ର ନୂଆ ଠିକଣା। ଦିନେ ଷ୍ଟେସନରେ ଏକତ୍ର ବସିଥିବା ସମୟରେ, ଜଣେ କିନ୍ନର ଆସି ତାକୁ ଟଙ୍କା ମାଗନ୍ତି। କିନ୍ତୁ ଶିବା ଅନ୍ୟମନସ୍କ ହୋଇ ବସିଥାଏ। ଶିବାର ଅନ୍ୟମନସ୍କତା ଦେଖି ଦୁଇ ହାତରେ ତାଳିକୁ ଜୋରରେ ବଜାଏ କିନ୍ନର ଜଣକ। ଶିବା ତାକୁ ଦେଖି, ତାର ସବୁ ଦୁଃଖ ନ ଜଣେଇ ରହିପାରେନି। ଜାବୁଡ଼ି ଧରି ଭେଁ ଭେଁ ହୋଇ କାନ୍ଦେ ଶିବା। କିନ୍ନର ଜଣକ ଶିବାକୁ ନେଇ ତାଙ୍କ କିନ୍ନର ବସ୍ତିକୁ ଯାଆନ୍ତି। କିନ୍ନର ବସ୍ତିରେ ତା’ର ଏତେ ଆଦର ଯତ୍ନ ଦେଖି ବହୁତ ଖୁସି ହୁଏ ସେ। ଏମାନେ ସମସ୍ତେ ତା’ ଭଳି। ତା ଭଳି ନିଶ୍ଚେ ଦୁଃଖ, ଯନ୍ତ୍ରଣା ସହ୍ୟ କରି ଆସି ଏଠି ରହିଛନ୍ତି। ପରିବାର ଥାଇ ମଧ୍ୟ ଅନାଥ ‌ଏମାନେ।

ଶିବା ଜୀବନର ମୋଡ ବଦଳିଯାଏ। ଦେହରେ ଲେହେଙ୍ଗା ପରିଧାନ କରି, ଓଠରେ ଲାଲ୍ ଟହ ଟହ ଲିପଷ୍ଟିକ୍ ମାଖି , ହାତରେ ଡଜନେ ଚୁଡି ପିନ୍ଧି, କାନରେ କାନ ଫୁଲକୁ ଓହଳେଇ, ମଥାରେ ଟିକିଲି ଲଗେଇ, ଗଭାରେ ମଲ୍ଲୀ ଫୁଲର ଗଜରା ଖୋସି ସେ ବନିଯାଏ ଶିବାରୁ ଶିବାନୀ କିନ୍ନର। ଜୀବନର ନାଆକୁ ଆହୁଲା ମାରି ମାରି ଧିର ଗତିରେ ସେ ଚାଲୁଥାଏ ଆଗକୁ ଆଗକୁ। ପରିବାର କଥା ବହୁତ ମନେ ପଡେ ତାର, ମାତ୍ର ତା ଉପରେ ବିତି ଯାଇଥିବା ଘୃଣା ଓ ଅସୂୟାର ଅଧ୍ୟାୟ ତାକୁ ବାଧା ଦିଏ ଘରକୁ ଫେରିବା ପାଇଁ।

କିନ୍ନର ବସ୍ତି ତାକୁ ଦିଏ ସମ୍ମାନ, ନୂତନ ପରିଚୟ ଆଉ ଆତ୍ମବିଶ୍ବାସ। ସେ ନିଷ୍ପତ୍ତି ନିଏ ନିଜେ ସ୍ୱାବଲମ୍ବୀ ହେବା ପାଇଁ। ତାର କିନ୍ନର ସାଥୀମାନେ ତାକୁ ସହଯୋଗ କରନ୍ତି ତା ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ। ସେ ତାର ଅଧୁରା ଶିକ୍ଷାକୁ ସମ୍ପୂର୍ଣ୍ଣ କରିବାକୁ ଯାଇ ଯୋଗ ଦିଏ ଏକ ଶିକ୍ଷକତା ପ୍ରଶିକ୍ଷଣ କେନ୍ଦ୍ରରେ। ସେଠାରେ ମଧ୍ଯ ତାକୁ ଅନେକ ଯାତନାର ସମ୍ମୁଖୀନ ହେବାକୁ ପଡ଼େ। ତଥାପି ଦୃଢ଼ ଆତ୍ମବିଶ୍ବାସ ତାର ଲକ୍ଷ୍ୟ ପଥରେ ବାଧା ସୃଷ୍ଟି କରି ପାରେନା। ସେ ବି ଏଡ୍ ଶିକ୍ଷା ସମ୍ପୂର୍ଣ୍ଣ କରିବାରେ ସଫଳ ହୁଏ। ଶେଷରେ ତାକୁ ନିଜ ଗାଁର ହାଇ ସ୍କୁଲ୍ ରେ ଶିକ୍ଷକତା ଚାକିରୀ ମିଳେ, ଯାହାକି ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଏ ତାର ସାମାଜିକ ସ୍ଥିତି। ଯେଉଁ ଗାଁ ଓ ପରିବାର ଦିନେ ତାକୁ ଅତ୍ୟନ୍ତ ଘୃଣା କରୁଥିଲା, ସିଏ ଆଜି ତାର ପରିଶ୍ରମ ଓ ଆତ୍ମବିଶ୍ଵାସ ଆଗରେ ମଥାନତ କରେ। ତାକୁ ମିଳିଯାଏ ଏକ ନୂତନ ପରିଚୟ ସମ୍ପୂର୍ଣ୍ଣ ଚିରସ୍ଥାୟୀ ଭାବେ।

Comments are closed.