ଜୟପୁର : ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି ବିଶ୍ୱର ସର୍ବବୃହତ ରୁଟି । ଏହି ରୁଟି ତିଆରି କରିବାକୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ଏହି ରୁଟି ପ୍ରସ୍ତୁତ କରିବା ପାଇଁ ଦୁଇ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା ।
ଏହି ରୁଟି ଭିଲୱାରା ସହରର ହରିସେୱା ଧାମରେ ତିଆରି କରାଯାଇଥିଲା । ମହାମଣ୍ଡଳେଶ୍ୱର ସନ୍ତ ହଂଶରାମଙ୍କ ସାନିଧ୍ୟରେ ନିର୍ମିତ ଏହି ରୁଟି ତିଆରି ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇଥିଲା । ୨୨ ଲୋକ ଏକତ୍ରିତ ହୋଇ ଏହାର ଅଟା ଚକଟି ଥିଲେ । ଏହା ପରେ ରୁଟି ବେଲିବା ଏବଂ ପରେ ସେକିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅଟା ଚକଟିବା ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ଏହି ରୁଟି ସେକିବାକୁ କରିବାକୁ ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗିଥିଲା । ସନ୍ଧ୍ୟାରେ ରୁଟି ପ୍ରସ୍ତୁତ ହୋଇଯାଇଥିଲା ।
ଏହି ରୁଟିକୁ ତାୱା ଉପରେ ହିଁ ବେଲା ଯାଇଥିଲା । ଏପଟ ସେପଟ ନ କରି ଗୋଟିଏ ଥର ହିଁ ସେକା ଯାଇଥିଲା । ୨୦୭ କିଲୋଗ୍ରାମର ଏହି ରୁଟି ତିଆରି କରିବା ପାଇଁ ୧୨୦ କିଲୋଗ୍ରାମ ଅଟା, ୧୦ କିଲୋଗ୍ରାମ ମଇଦା, ୧୦ କିଲୋଗ୍ରାମ ଘିଅ ଏବଂ ୬୭ ଲିଟର ପାଣି ବ୍ୟବହୃତ ହୋଇଥିଲା । ରୁଟି ତିଆରି କରିବା ପୂର୍ବରୁ ଏକ ହଜାର ଇଟା ସହିତ ଏକ ଚୁଲା ପ୍ରସ୍ତୁତ କରାଯାଇଥିଲା । ଏକ ହଜାର କିଲୋ ଓଜନ ବିଶିଷ୍ଟ ଲୁହାରେ ନିର୍ମିତ ଏକ ତାୱା ଏହା ଉପରେ ରଖାଗଲା । ରୁଟି ବେଲିବା ପାଇଁ ୨୦ ଫୁଟ ଲମ୍ବ ବେଲଣା କାଠି ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର କାରିଗରମାନେ ଏହି ରୁଟି ପ୍ରସ୍ତୁତ କରିଥିଲେ । ଏକ ହଜାରରୁ ଅଧିକ ଲୋକ ଏହି ସ୍ୱତନ୍ତ୍ର ରୁଟି ସ୍ୱାଦ ଚାଖିଥିଲେ ।
Comments are closed.