Latest Odisha News

BREAKING NEWS

ଆସନ୍ତା ବର୍ଷଠୁଁ ଆଇଆଇଏମସିରେ ଆରମ୍ଭ ହେବ ସ୍ନାତକୋତ୍ତର ପାଠ୍ୟକ୍ରମ

ଢେଙ୍କାନାଳ: ଆସନ୍ତା ବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ । ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଆଇଏମସି ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍. ଧତ୍ୱାଲିଆ କହିଛନ୍ତି ।

ଶ୍ରୀ ଧତ୍ୱାଲିଆ ଗତକାଲି ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସ୍ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଆଇଆଇଏମସି ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ସେହିପରି ଆଗାମୀ ଦିନରେ ଆଇଆଇଏମସି ଢେଙ୍କାନାଳରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ ଭିଡିଓ କନ୍ଫରେନ୍ସିଂ ତଥା ଇ-କ୍ଲାସରୁମ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଧତ୍ୱାଲିଆ କହିଛନ୍ତି ।

ଏହି ଅବସରରେ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଶ୍ରୀ ଧତ୍ୱାଲିଆଙ୍କୁ ସ୍ୱାଗତ କରିବା ପରେ ଆଇଆଇଏମସି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉଦାହରଣ ମାଧ୍ୟମରେ କହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀ ଧତ୍ୱାଲିଆ । ଏହି କାର୍ଯ୍ୟକ୍ରମରେ ସେକ୍ସନ୍ ଅଫିସର କେଦାରନାଥ ଜେନା, ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ସମ୍ବିତ ପାଲ ।

ଏହି ଅବସରରେ ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ କରିଛନ୍ତି ମହାନିର୍ଦ୍ଦେଶକ କେ.ଏସ୍. ଧତ୍ୱାଲିଆ । ୧୯୪୮ ଜାନୁଆରୀ ୩୧ ତାରିଖରେ ଦେଶ ବିଦେଶର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ମହାତ୍ମାଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଖବରକୁ ଏହି ପୋଷ୍ଟକାର୍ଡରେ ସ୍ଥାନ ଦିଆଯାଇଛି । ପୂର୍ବରୁ ସ୍ୱାଧୀନତା ଦିବସର ପ୍ରଥମ ପୃଷ୍ଠାର ଖବରକାଗଜକୁ ନେଇ ଏକ ପୋଷ୍ଟକାର୍ଡ ସିରିଜ୍ ପ୍ରସ୍ତୁତ ହୋଇଥିଲା । ଏହି ପୋଷ୍ଟକାର୍ଡ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ।

Comments are closed.