ଭୁବନେଶ୍ୱର: ରାଜ୍ୟର ସରକାର ଏବେ ଦଳରେ ପରିଣିତ ହୋଇଛି। ଦଳୀୟ କାମରେ ମାତିଛନ୍ତି ସରକାରୀ କର୍ମଚାରୀ। ଏହା କହିଛନ୍ତି ବିରୋଧୀ ଦଳ ନେତା। ଏବେ ଏହି କଥା ଦେଶର ପ୍ରମୁଖ ଅଧିକାରୀ ଏବଂ ବ୍ୟକ୍ତିଙ୍କ କାନରେ ଖବର ପକାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡିଶାରୁ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଖୁବଶୀଘ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ।
ପିଅନରୁ ଆରମ୍ଭ କରି ଆଇଏଏସ୍ ଅଫିସର ଯାଏଁ ସମସ୍ତେ କିଭଳି ଓଡ଼ିଶାରେ ଦଳୀୟ ଲାଇନ୍ ଆଧାରରେ କାମ କରୁଛନ୍ତି ଓ ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ହେଉଛି ସେନେଇ ସେମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ଏସବୁ ଘଟଣାର ତଦନ୍ତ ପାଇଁ ଇଡି ଓ ସିବିଆଇକୁ ଓଡ଼ିଶା ପଠାଇବାକୁ ସେମାନେ ଦାବି କରିବେ।
କଂଗ୍ରେସ ନେତା ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓ ବିଜେଡି ଭାଇଭଉଣୀ ହୋଇଥିବାରୁ ଓଡିଶାରେ ଲୋକଙ୍କୁ ଧୋକା ଦେବାକୁ ବିଜେପି ଦିଲ୍ଲୀ ଯିବ।
ସେମାନେ ଦିଲ୍ଲୀରୁ ଫେରିବା ପରେ ମଧ୍ୟ ଇଡି କିମ୍ବା ସିବିଆଇ ରାଜ୍ୟକୁ ଆସିବ ନାହିଁ ବୋଲି କହିବା ସହ ଚିଟଫଣ୍ଡ ଓ ଖଣି ଦୁର୍ନୀତିରେ ଏଯାଏଁ କାହିଁକି କିଛି କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବେଦାନ୍ତ ମାମଲାରେ ହଜାର ହଜାର ଏକର ଜମି ଫେରସ୍ତ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
Comments are closed.