ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଜାତୀୟ ଉଦ୍ୟାନ ମୌସୁମୀ ଋତୁ ପାଇଁ ପ୍ରାୟ ୫ ମାସ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ଯଟକଙ୍କ ପାଇଁ ପୁଣି ଖୋଲିଛି।
ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପାର୍କ ଭିତରକୁ ପ୍ରବେଶ କରିପାରିବେ। ଯଶିପୁର ପାର୍ଶ୍ୱରୁ କଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଯିବା ପାଇଁ ଅନୁମତି ଥିବାବେଳେ ବାରିପଦାର ଲୁଲୁଙ୍ଗ ଗେଟ୍ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ବରେହିପାଣି ଓ ଜରନ୍ଦାରୁ ଅପରାହ୍ନ ୩ଟା ସୁଦ୍ଧା ଏବଂ ଚହଲାରୁ ଅପରାହ୍ନ ୪ଟା ସୁଦ୍ଧା ପର୍ଯ୍ୟଟକମାନେ ଅଭୟାରଣ୍ୟ ଛାଡ଼ିବାକୁ ହେବ।
ପର୍ଯ୍ୟଟକଙ୍କ ପାଇଁ ପାର୍କ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିବା ସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହାକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରାଯାଇ ବିଭିନ୍ନ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି, ଯେଉଁଥିରେ ସ୍ଥାନୀୟ ଖାଦ୍ୟ ସାମଗ୍ରୀ ମଧ୍ୟ ସାମିଲ ରହିଛି।
୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ଏହି ଉଦ୍ୟାନ ଉଚ୍ଚ ଶାଳଗଛ ଏବଂ ବହୁଳ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଏବଂ ପ୍ରବାହିତ ଝରଣାଗୁଡିକ ସହିତ ଚିତ୍ତାକର୍ଷକ ଦୃଶ୍ୟ ପ୍ରଦାନ କରିଥାଏ। ଏଠାରେ ୧୦୭୬ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରକାରର ପକ୍ଷୀ ଓ ୨୯ ପ୍ରକାରର ସରୀସୃପ ବାସ କରନ୍ତି।
Comments are closed.