Latest Odisha News

କବିତା : ଦେବୀ

ବନ୍ଦନା ପଣ୍ଡା 

ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ
ପବନରେ ପ୍ରବାହିତ ସୁଗନ୍ଧର ମଧୁ ,
ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ
କାଶତାଣ୍ଡୀର କୋମଳ ଆବାହନ
ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ
ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ
ସ୍ୱପ୍ନ ଚିରନ୍ତନ !!!
ଶରତର ଉଆସରେ ଦେବୀ ସିଂହାସନ।

ଶିଳ୍ପୀହେ ତୁମେ ଭାଗ୍ୟବାନ
ଆଙ୍କିଦେବ ତୁମ ରଙ୍ଗ ତୁଳୀ
ଭଦ୍ରାଣୀଙ୍କ ଅଙ୍ଗେ ଅଙ୍ଗେ
ନୀଳ ତରଙ୍ଗର ମାଳା
ଦୁଷ୍ଟଙ୍କ ଖର୍ପର ରକ୍ତ ଜରଜର
ରକ୍ତ ଜବା ଦେଇ ସଜେଇଦେବ
ରୁଦ୍ରାଣୀ ମାଆଙ୍କ ଗଳା।
ବୀର ଶୃଙ୍ଗାରରେ ଛାତିରେ ଲେଖିଦେବ
ପାପସଂହାରର ଗାଥା,
ଆଖିରେ ଭରିବ ଦୁର୍ଗତି ନାଶିନୀ ବହ୍ନିର କଜ୍ଜଳ,
ଥାଉ ପଛେ ଆଖିତଳେ କ୍ଷମା ଆଉ ବ୍ୟଥା…
ରାକ୍ଷସର ମଥା ନୋଇଁଯିବ,
ଲିଭିଯିବ ନାରୀ ଜୀବନରେ ଦମନର ପ୍ରଥା।

ତ୍ରିଶୂଳର ତିନି ଧାରେ ଆଙ୍କିଦେବ
ମାତୃ ଭଗ୍ନୀ ଆଉ ପତ୍ନୀର ପ୍ରେମ ସଂଜୀବନୀ
ବୁଝାଇଦେବ ଏଥିରେ କେବଳ ଅସୁର ନୁହେଁ,
ନିଶ୍ଚୟ ବିଲୁପ୍ତ ହେବ
ନିର୍ଯ୍ୟାତନା ଅନ୍ୟାୟ ଆଉ ଅତ୍ୟାଚାରର କାହାଣୀ।
ବଦଳି ଯାଉ କ୍ଷଣ, ସାକାର ହେଉ ସ୍ବପ୍ନ।
ସତେ କଣ ଯୁଗେ ଯୁଗେ
ସର୍ବଭୂତେଷୁ ଦେବୀ ସଦା ବନ୍ଦିତା??
ଶାନ୍ତି ମୈତ୍ରୀ ଶକ୍ତି ରୂପେଣ ସଂସ୍ଥିତା ???
ଶଙ୍ଖ ତୁରୀ ଭେରୀରେ ପ୍ରକମ୍ପିତ ଗଗନ କାନନ ପ୍ରଭଞ୍ଜନ
ପ୍ରାଣେ ପ୍ରାଣେ ସ୍ପନ୍ଦନରେ ମା’ଙ୍କର ଆବାହନ…
କିନ୍ତୁ
କେଉଁଠି ଶୁଭୁଛି କୁଆଁ କୁଆଁ କାନ୍ଦ ସହ ଭର୍ତ୍ସନାର ବାଣ !
କାହିକି ନା ଜନ୍ମ ନେଇଛି
ଆଜି ଏକ ଅଭାଗିନୀର
ଅଲୋଡା କନ୍ୟା ସନ୍ତାନ !!!

ଲୁମ୍ବିନୀ ବିହାର

Comments are closed.