ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି।
ସିସୋଦିଆଙ୍କ ଓକିଲ ଅଭିଷେକ ସିଙ୍ଘଭି ଓ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଏସଭିଏନ୍ ଭଟ୍ଟୀଙ୍କ ଖଣ୍ଡପୀଠ ସିସୋଦିଆଙ୍କ ଦୁଇଟି ପୃଥକ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଯୁକ୍ତି ବିରୋଧରେ ଏହି ଦୁଇ ଓକିଲ ହାଜର ହୋଇଥିଲେ।
ଏହି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ ତାରିଖରେ ସିବିଆଇ ଗିରଫ କରିଥିଲା ଏବଂ ସେବେଠାରୁ ସେ ହେପାଜତରେ ଥିଲେ। ସିବିଆଇର ଏଫ୍ଆଇଆର୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମଧ୍ୟ ମାର୍ଚ୍ଚ ୯ରେ ଇଡି ତାଙ୍କୁ ଗିରଫ କରିଥିଲା।
ଦିଲ୍ଲୀ ହାଇକୋର୍ଟ ଉଭୟ ସିବିଆଇ ଓ ଇଡି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ଯଥାକ୍ରମେ ମେ ଓ ଜୁଲାଇ ମାସରେ ଖାରଜ କରିଦେଇଥିଲେ।
ଦିଲ୍ଲୀ ସରକାର ୨୦୨୧ ନଭେମ୍ବର ୧୭ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିବା ପରେ ୨୦୨୨ ଜୁଲାଇରେ ଏହାକୁ ରଦ୍ଦ କରିଦିଆଯାଇଥିଲା। ଅବକାରୀ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଅନିୟମିତତା ନେଇ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି।
Comments are closed.