Latest Odisha News

ଇସ୍ରାଏଲରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ: କହିଲେ, ଆତଙ୍କବାଦ ବିରୋଧରେ ଆମେ ଇସ୍ରାଏଲ ସହ ଅଛୁ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧସ୍ଥିତି ମଧ୍ୟରେ ଇସ୍ରାଏଲକୁ ଛୁଟିଛନ୍ତି ବିଶ୍ୱର ବଡ ବଡ ନେତା । ଗତକାଲି ଅର୍ଥାତ ବୁଧବାର ଜୋ ବାଇଡେନଙ୍କ ପରେ ଆଜି ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ପହଞ୍ଚିଛନ୍ତି ଇସ୍ରାଏଲରେ । ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଆସିଛନ୍ତି ଋଷି ସୁନକ କାହିଁକି ବିଶ୍ୱନେତାଙ୍କର ଏ ଘନ ଘନ ଇସ୍ରାଏଲ ଗସ୍ତ ? ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ କି ଗୁପ୍ତ ମନ୍ତ୍ରଣା କରୁଛନ୍ତି ? ଏମିତି ଅନେକ ପ୍ରଶ୍ନ ଆସୁଛି ମନକୁ ।

ଇସ୍ରାଏଲ ଗତ କିଛି ଦିନ ହେବ ଗାଜା ପଟ୍ଟିରେ ନିଜର ଆକ୍ରମଣ ତୀବ୍ର କରିଛି । ମିଳିଥିବା ସୂଚନା ଅନୁସାରେ, ଯେଉଁଠି ହମାସ ଆତଙ୍କୀ ଲୁଚି ରହିଥିବା ଆଶଙ୍କ ରହିଛି, ବାଛି ବାଛି ସେହିସବୁ ସ୍ଥାନ ମାନଙ୍କରେ ଆକ୍ରମଣ କରୁଛି ଇସ୍ରାଏଲ ।  ତେବେ ଏହି ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏପରି ପରିସ୍ଥିତିରେ ବାଇଡେନଙ୍କ ପରେ ଋଷି ସୁନକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ବାଇଡେନ ଇସ୍ରାଏଲ ଯାଇଥିବା ବେଳେ ଇସ୍ରାଏଲ ପିଏମ ନେତନ୍ୟାହୁ ତାଙ୍କୁ ସ୍ୱାଗତ କରିଥିଲେ । ନେତନ୍ୟାହୁଙ୍କ ସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ବି କରିଥିଲେ । ପ୍ରେସ କନଫରେନ୍ସରେ ହମାସକୁ  କ୍ରୁର ଆତଙ୍କୀ ବୋଲି କହିଥିଲେ ଉଭୟେ ନେତା । ହମାସର ଇସ୍ରାଏଲ ଉପରେ ଏପରି ଆକ୍ରମଣ ମାନବବାଦର ବିରୁଦ୍ଧାଚରଣ କରୁଛି ବୋଲି ମଧ୍ୟ କହିଥିଲେ ।

ଏହି ଗସ୍ତ ଅବସରରେ ସୁନକ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ । ସୁନକ ତାଙ୍କ  ଏକ୍ସ( ଟୁଇଟର)ରେ ଏକ ବାର୍ତ୍ତା ଦେଇ କହିଛନ୍ତି, ‘ମୁଁ ଇସ୍ରାଏଲରେ ଅଛି । ଇସ୍ରାଏଲ ଏବେ କଠିକ ସମୟ ଦେଇ ଗତି କରୁଛି । ଆମେ ଇସ୍ରାଏଲ ସହ ଅଛୁ ।  ଆତଙ୍କବାଦ ବିରୋଧରେ  ଆମେ  ସବୁବେଳେ ଛିଡା ହୋଇଛୁ । ଆଜି ଏବଂ ସବୁବେଳେ ।’

ତେବେ ଏପରି ସ୍ଥିତିରେ ଋଷି ସୁନକଙ୍କ ଗସ୍ତକୁ ଖୁବ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି ।

Comments are closed.