ରାଉରକେଲା: ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର। ତାଙ୍କ ପରିବାର ସଦସ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରି ଏହି ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି।
ଆଲିଶାଙ୍କ ମୃତ୍ୟୁକୁ ନେଇ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଦେଇଥିବା ମନ୍ତବ୍ୟକୁ ସେ ଗ୍ରହଣ କରିନାହାନ୍ତି। ଡାକ୍ତରୀଟିମ ଏବଂ ଏମ୍ସର ଫରେନସିକ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ଉତ୍ତେଜନା ଯୋଗୁଁ ଆଲିଶାଙ୍କ ମୃତ୍ୟୁ ଘଟିଛି। ଅତ୍ୟଧିକ ହରମୋନ କ୍ଷରଣ ଯୋଗୁଁ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥିଲା। ମେଡିକାଲ ନେବା ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଏସଆଇଙ୍କ ଉପରେ କୌଣସି ଆକ୍ରମଣ ହୋଇ ନଥିବା କହିଥିଲେ ଏସପି ମିତ୍ରଭାନୁ ମହାପାତ୍ର। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆମେ ଗ୍ରହଣ କରୁନୁ ବୋଲି କହିଛନ୍ତି ଆଲିଶାଙ୍କ ସ୍ୱାମୀ।
ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆଲିଶା ଶରୀରରେ କେତୋଟି କ୍ଷତ ଥିବା ଉଲ୍ଲେଖ ଥିବା ବେଳେ ସେଗୁଡ଼ିକ କାହିଁକି ସୃଷ୍ଟି ହୋଇଥିଲା, ସେ ବିଷୟରେ ଅନୁସନ୍ଧାନ କରାଯାଇଛି କି ବୋଲି ତାଙ୍କ ପରିବାର ଲୋକେ ପଚାରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଆଲିଶାଙ୍କ ପରିବାର ଲୋକଙ୍କ ପକ୍ଷରୁ ୧୦ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକର ଉତ୍ତର ସେମାନେ ରାଉରକେଲା ଏସ୍ପି ଓ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି।
ଏସ୍ପିଙ୍କ ନିକଟକୁ ପଠାଇଥିବା ୧୦ଟି ପ୍ରଶ୍ନ ସମ୍ବଳିତ ଚିଠିରେ ଆଲିଶାଙ୍କ ପରିବାର ଲୋକେ ଉଲ୍ଲେଖ କରିଛନ୍ତି ଯେଏକ୍ସାଇଟେଡ ଡେଲିରିୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେଇନାହିଁ। ସେହିଭଳି ଏକ୍ସାଇଟେଡ ଡେଲିରିୟମ ମୁଖ୍ୟତଃ ନିଶା ସେବନ କରୁଥିବା ଲୋକଙ୍କଠାରେ ଦେଖାଯାଏ। ଏପରି ଅନେକ ପ୍ରଶ୍ନ କରିଛନ୍ତି ଆଲିଶାଙ୍କ ପରିବାର ଲୋକେ।
ସୂଚନା ଥାଉକି, ଅକ୍ଟୋବର ୨ ତାରିଖରେ ଏକ ବସ କାରକୁ ଧକ୍କା ଦେଇ ଦ୍ରୁତ ଗତିରେ ରାଉରକେଲା ବସଷ୍ଟାଣ୍ଡ ଭିତରକୁ ପଶି ଯାଇଥିଲା। ସ୍ଥାନୀୟ କିଛି ଯୁବକ ବସକୁ ପିଛା କରି ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଗଣ୍ଡଗୋଳ ଓ ମାରପିଟ ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପିସିଆର ଭ୍ୟାନରେ ଥିଲେ ଏଏସଆଇ ଆଲିଶା। ଜଣେ ଯୁବତୀଙ୍କ ସମେତ ଅନ୍ୟମାନଙ୍କୁ ଧରି ଭ୍ୟାନରେ ଥାନାକୁ ଫେରୁଥିଲେ। ଏହି ସମୟରେ ଆଲିଶାଙ୍କର ବାନ୍ତି ହୋଇଥିଲା।ତୁରନ୍ତ ତାଙ୍କୁ ହାଇଟେକ ମେଡକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
Comments are closed.