ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମର ଏହା ହେଉଛି ୧୦୬ ତମ ଏପିସୋଡ୍ । ଏହି ଅବସରରେ ଅନେକ ବିଷୟରେ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦୀ କହିଛନ୍ତି ଯେ, ଏହି ମାସ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଗୋଟିଏ ମାତ୍ର ଖଦି ଷ୍ଟୋର୍ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି । ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଞ୍ଚୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥସ୍ଥାନ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।
ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ । ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ ।
ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।
ପର୍ବପର୍ବାଣୀର ଏହି ଋତୁରେ, ଏବେ ଦେଶରେ କ୍ରୀଡ଼ାର ମଧ୍ୟ ବିଜୟ ପତାକା ଉଡ଼ୁଛି । ବିଗତ ଦିନରେ ଏସୀୟକ୍ରୀଡ଼ା ପରେ ପାରାଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଚମତ୍କାର ସଫଳତା ଅର୍ଜନ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ୧୧୧ଟି ପଦକ ଜିଣି ନୂଆ ଇତିହାସ ସୃଷ୍ଟି କରିଛି । ମୁଁ ପାରାଏସୀୟ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି
Comments are closed.