ଭବାନୀପାଟଣା: ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରୁ । ଅଭିଯୋଗ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭବାନୀପାଟଣା ସଦର ଥାନା ପୋଲିସ ।
ଗିରଫ ଅଭିଯୁକ୍ତମାନେ ହେଲେ ଜିଲାର ବିଜେପୁର ଥାନା କମଲେଇ ଗାଁର ଚମରା ନାଏକ (୪୬), ନର୍ଲା ଥାନା ଘଣ୍ଟାମାଳ ଗାଁର ମନୋଜ ସୁନାନୀ (୪୧), ରଙ୍ଗୀଗୁଡ଼ାର ଭକ୍ତି ହରିଜନ (୩୦) ଏବଂ ସଦର ଥାନା ବୋରଭାଟା ଗାଁର ନରେନ୍ଦ୍ର ଗୌଡ଼।
ସୂଚନା ଅନୁସାରେ, ଗତ ୫ ତାରିଖ ଦିନ ବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡା ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଅଭିଯୁକ୍ତମାନେ ଗୋଲାମୁଣ୍ଡା ଥାନା ଫୁଣ୍ଡା ଗାଁର ଚକ୍ରଧର ହରପାଲଙ୍କୁ ସୁନା ବିକ୍ରି କରିବା ବାହାନାରେ ଡକାଇଥିଲେ। ସେଠାରେ ଚକ୍ରଧରଙ୍କୁ ନକଲି ସୁନା ଦେଇ ତାଙ୍କଠାରୁ ଜୋର ଜବରଦସ୍ତ ୪ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଚକ୍ରଧର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ନଂ ୪୭୩/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଅଭିଯୁକ୍ତମାନେ ଧରାପଡିଥିଲେ । ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଏକ ମାରୁତି ସୁଜୁକି ଇକୋ ଗାଡ଼ି ଜବତ କରାଯାଇଛି ।
