Latest Odisha News

BREAKING NEWS

US Disables Cargo Ship: ଚେତାବନୀକୁ ଅଣଦେଖା କରିବା ପଡ଼ିଲା ମହଙ୍ଗା, ଓମାନ ଉପସାଗରରେ ଜାହାଜ ଉପରେ ଆମେରିକାର ବୋମାମାଡ଼

ନୂଆଦିଲ୍ଲୀ: ଆମେରିକାର ଚେତାବନୀକୁ ଅଣଦେଖା କରି ନାକାବନ୍ଦୀ ଭାଙ୍ଗିବାକୁ ଉଦ୍ୟମ କରିବା ଏକ ମାଲବାହୀ ଜାହାଜ ପାଇଁ ମହଙ୍ଗା ପଡ଼ିଛି। ଓମାନ ଉପସାଗରରେ ସେଣ୍ଟ କିଟ୍ସ ପତାକା ଲାଗିଥିବା ବାଣିଜ୍ୟିକ ଜାହାଜ ‘M/V Huda’ ଉପରେ ଆମେରିକୀୟ ସେନା ଏୟାରଷ୍ଟ୍ରାଇକ୍ କରି ଏହାକୁ ଅଚଳ କରିଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ ଏହି ସୂଚନା ଦିଆଯାଇଛି।

CENTCOM ଅନୁଯାୟୀ, ନଭେମ୍ବର ୭ ତାରିଖରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଇରାନର ଏକ ବନ୍ଦରରେ ଅଟକିବା ପରେ ଜାହାଜଟି ଆମେରିକାର ନାକାବନ୍ଦୀ ଭାଙ୍ଗି ଅଞ୍ଚଳରୁ ବାହାରିବାକୁ ଚେଷ୍ଟା କରିଥିଲା। ଜାହାଜର କର୍ମଚାରୀଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ। ଏହାପରେ ଆମେରିକୀୟ ସାମରିକ ବିମାନ ଜାହାଜର ପଛ ଭାଗ ବା ଷ୍ଟର୍ଣ୍ଣକୁ ଲକ୍ଷ୍ୟ କରି ସଠିକ୍ ଆକ୍ରମଣ କରିଥିଲା। ଜାହାଜକୁ ଆଗକୁ ବଢ଼ିବାରେ ଅସମର୍ଥ କରିବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା। ଆକ୍ରମଣ ପୂର୍ବରୁ ଜାହାଜର ନାଗରିକ କର୍ମଚାରୀଙ୍କୁ ଲକ୍ଷ୍ୟସ୍ଥଳରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା CENTCOM ଦାବି କରିଛି।

ଆମେରିକୀୟ ସାମରିକ କମାଣ୍ଡର ସୂଚନା ଅନୁଯାୟୀ, ଜୁଲାଇରୁ ଚାଲିଥିବା ନାକାବନ୍ଦୀ ଅଭିଯାନରେ ଏପର୍ଯ୍ୟନ୍ତ ୧୪୭ଟି ବାଣିଜ୍ୟିକ ଜାହାଜକୁ ଅଟକାଇ ସେମାନଙ୍କ ଗତିପଥ ବଦଳାଇ ଦିଆଯାଇଛି। ନିର୍ଦ୍ଦେଶ ମାନିବାକୁ ମନା କରିଥିବା ୫ଟି ଜାହାଜକୁ ଅଚଳ କରାଯାଇଛି। ଏହା ସହ ଇରାନର ୧୦ଟି ବାଣିଜ୍ୟିକ ତୈଳ ଟ୍ୟାଙ୍କରକୁ ନଷ୍ଟ କରିଥିବା ମଧ୍ୟ ଆମେରିକା ଦାବି କରିଛି। ଏହି ଟ୍ୟାଙ୍କରଗୁଡ଼ିକ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ସାମୁଦ୍ରିକ ନେଟୱର୍କର ଅଂଶ ଥିଲେ ବୋଲି କୁହାଯାଇଛି।

ଇରାନକୁ ଉନ୍ନତ ଅସ୍ତ୍ରଶସ୍ତ୍ର, ଦ୍ୱୈତ ବ୍ୟବହାରଯୋଗ୍ୟ ପ୍ରଯୁକ୍ତି ଓ ନିଷିଦ୍ଧ ସାମଗ୍ରୀ ଯୋଗାଣ ରୋକିବା ପାଇଁ ଆମେରିକା ଏକ ନୂଆ ଟାସ୍କ ଫୋର୍ସ ଗଠନ କରିବାକୁ ଘୋଷଣା କରିଛି। ଇରାନର ସ୍ଥଳପଥ ପରିବହନ ନେଟୱର୍କକୁ ଦୁର୍ବଳ କରିବା ଏହାର ଲକ୍ଷ୍ୟ।

ତେବେ କହିରଖୁଛୁ, ଗତ ଅକ୍ଟୋବରରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯାଉଥିବା ପାନାମା ପତାକାଧାରୀ ‘MT On Peace’ ଜାହାଜ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଥିରେ ୧୨ ଜଣ କର୍ମଚାରୀ ଆହତ ହୋଇଥିଲେ, ଯେଉଁଥିରେ ୧୧ ଜଣ ଭାରତୀୟ ଥିଲେ। ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.