Latest Odisha News

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ ପିଣ୍ଡିରେ ବସି ବ୍ୟବସାୟ କରିପାରିବେ। ମଙ୍ଗଳବାର ବିଦ୍ଧିବଦ୍ଧ ଭାବେ କଟକ ଅର୍ବାନ ହାଟ କାର୍ଯ୍ୟକାରୀ ହୋଇଛି।

କୁହାଯାଏ ନଅଙ୍କ ଦୁର୍ଭିକ୍ଷ ପରେ ଛତ୍ରବଜାରରେ ପରିବା ବ୍ଯବସାୟ କରି ଆସୁଥିଲେ ବେପାରୀ। ଗତମାସ ୧୬ ତାରିଖରେ ଏହି ଅର୍ବାନ ହାଟକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ହାଟ ପରିଚାଳନା ଲାଗି ଗଠିତ ହୋଇଥିବା କ୍ରିୟାନୁଷ୍ଠାନ କିମିଟି ଏବଂ ସିଏମସି ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ପ୍ରାଯ ଦେଢ ମାସ ପର୍ଯ୍ୟନ୍ତ ହାଟରେ ବେପାର ହୋଇପାରିନଥିଲା। ଆଜି ସକାଳୁ ସମସ୍ତ ବ୍ୟବସାୟୀଙ୍କୁ କେନାଲ କଡ ରାସ୍ତାରୁ ଉଠାଇ ଅର୍ବାନ ହାଟରେ ବସାଇବାରେ ସଫଳ ହୋଇଛି ପ୍ରଶାସନ। ଯାହାକୁ ନେଇ ଗ୍ରାହକ ଖୁସି ହୋଇଛନ୍ତି।

ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ୧.୬୨ ଏକର ଜମିରେ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଅର୍ବାନ ହାଟ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ତାଳଦଣ୍ଡା କେନାଲ କୂଳରେ ପ୍ରାୟ ଦୁଇ କିଲୋମିଟର ରାସ୍ତାକଡ଼ରେ ବ୍ଯବସାୟୀ ବେପାର କରି ଆସୁଥିଲେ। ଦୈନନ୍ଦିନ କଟକ ଓ ଆଖପାଖ ଅଞ୍ଚଳର ହଜାର ହଜାର ଗ୍ରାହକ ଏଠାରୁ ପରିବା କିଣି ନେଉଥିଲେ। ଛତ୍ରବଜାର ପରିବା ମଣ୍ତିର ରୂପାନ୍ତରଣ ଏବଂ ପରିବାହାଟକୁ ବ୍ୟବସ୍ଥିତ କରାଇବା ଲକ୍ଷରେ ନିର୍ମିତ ହୋଇଛି ଏହି ଅର୍ବାନ ହାଟ। ଅର୍ବାନ ହାଟ ଭିତରେ ରହିଛି ୫୪୮ ଟି ପିଣ୍ତି । ଏହା ବ୍ୟତିତ ଅର୍ବାନ ହାଟରେ ସମସ୍ତଙ୍କ ବ୍ୟବହାର ଲାଗି ଶୌଚାଳୟ ଏବଂ ପାର୍କିଂ ସ୍ଥାନ ମଧ୍ୟ ଉପଲବ୍ଧ ରହିଛି।

Comments are closed.