Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ଓ ଅଶାନ୍ତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ଫ୍ରାନ୍ସ ସମେତ ୟୁରୋପର ଅନେକ ଦେଶରେ ଦେଖାଦେଉଥିବା ସମସ୍ୟା ପାଇଁ ଟ୍ରମ୍ପ ମୁଖ୍ୟତଃ ଅନିୟନ୍ତ୍ରିତ ଅଭିବାସନକୁ ଦାୟୀ କରିଛନ୍ତି। ସେ ଫ୍ରାନ୍ସକୁ ନିଜ ସୀମା ବନ୍ଦ କରିବା ସହ ଅପରାଧରେ ସମ୍ପୃକ୍ତ ବିଦେଶୀଙ୍କୁ ଦେଶରୁ ବାହାର କରିବାକୁ ପରାମର୍ଶ ଦେଇଛନ୍ତି।
ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି ଯେ ଫ୍ରାନ୍ସରେ ଚାଲିଥିବା ଅଶାନ୍ତିର ମୁଖ୍ୟ କାରଣ ଶିକ୍ଷା ବ୍ୟବସ୍ଥା କିମ୍ବା ଅନ୍ୟ ଘରୋଇ ନୀତି ନୁହେଁ, ବରଂ ଅଭିବାସନ। ତାଙ୍କ ମତରେ, ଯେଉଁ ଲୋକମାନେ ନିଜ ଦେଶକୁ ସମ୍ମାନ କରୁନାହାନ୍ତି ଏବଂ ସେଠାକାର ସମ୍ପତ୍ତି, କଳା ଓ ସଂସ୍କୃତିକୁ ମୂଲ୍ୟ ଦେଉନାହାନ୍ତି, ସେମାନଙ୍କୁ ଦେଶରେ ପ୍ରବେଶ କରାଇବା ଫଳରେ ସମସ୍ୟା ବଢ଼ୁଛି। ଫ୍ରାନ୍ସର ଭବିଷ୍ୟତକୁ ନେଇ ଚେତାବନୀ ଦେବା ସମୟରେ ଟ୍ରମ୍ପ କହିଛନ୍ତି, “ପ୍ୟାରିସ୍ ଖୁବ୍ଶୀଘ୍ର ଏକ ମୁସଲିମ୍ ସହର ହୋଇଯିବ।” ଏହା ସହ ସେ ଦାବି କରିଛନ୍ତି ଯେ ଫ୍ରାନ୍ସର ସୀମା ନୀତିରେ କଠୋରତା ନ ଆଣିଲେ ଦେଶକୁ ଆହୁରି ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଅଭିବାସନ ଓ ଧାର୍ମିକ ଜନସଂଖ୍ୟାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ ସେ ମାକ୍ରୋନ୍ଙ୍କୁ ଫ୍ରାନ୍ସର ସୀମା ନିୟନ୍ତ୍ରଣ କଠୋର କରିବାକୁ କହିଥିଲେ। ମାକ୍ରୋନ୍ଙ୍କୁ ନିଜର ବନ୍ଧୁ ବୋଲି କହିବା ସତ୍ତ୍ୱେ ଫ୍ରାନ୍ସର ଅଭିବାସନ ନୀତିକୁ ସେ ଭୁଲ୍ ବୋଲି ମତ ଦେଇଛନ୍ତି। ଟ୍ରମ୍ପଙ୍କ କହିବା ଅନୁସାରେ, ଫ୍ରାନ୍ସକୁ ବିଭିନ୍ନ ଦେଶରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଦିଆଯାଉଛି। ଏହା ଦେଶର ସୀମା ସୁରକ୍ଷା ଓ ଆଭ୍ୟନ୍ତରୀଣ ଶାନ୍ତି ପାଇଁ ସମସ୍ୟା ସୃଷ୍ଟି କରୁଛି। ଆମେରିକା ନିଜ ସୀମା ନିୟନ୍ତ୍ରଣରେ କଠୋର ପଦକ୍ଷେପ ନେଇଥିବାବେଳେ ଫ୍ରାନ୍ସ ମଧ୍ୟ ସେହିଭଳି ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।
ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ ସୀମା ନିୟନ୍ତ୍ରଣ କଠୋର କରିବା ସହ ଅପରାଧରେ ସମ୍ପୃକ୍ତ ଏବଂ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ ବିଦେଶୀଙ୍କୁ ଦେଶରୁ ବାହାର କରିବାକୁ ଆହ୍ୱାନ ଦେଇଛନ୍ତି। ଏପରି ପଦକ୍ଷେପ ନ ନେଲେ ୟୁରୋପ ନିଜର ସ୍ଥିରତା ଓ ଭବିଷ୍ୟତକୁ ବିପଦରେ ପକାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଙ୍କ ମତରେ, ଯେଉଁ ଲୋକମାନେ ନିଜ ଦେଶକୁ ଘୃଣା କରନ୍ତି କିମ୍ବା ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ, ସେମାନଙ୍କୁ ଦେଶରେ ରହିବାକୁ ଦେବା ଉଚିତ ନୁହେଁ। ୟୁରୋପ ଦୀର୍ଘଦିନ ଧରି ସୀମା ନିୟନ୍ତ୍ରଣରେ ଅଧିକ କଠୋର ହେବା ଆବଶ୍ୟକ ବୋଲି ଟ୍ରମ୍ପ ମତ ଦେଇଛନ୍ତି।
ଫ୍ରାନ୍ସରେ ଶକ୍ତି କ୍ଷେତ୍ର ସମ୍ପର୍କିତ ସମସ୍ୟା ଥିବା କଥା ମଧ୍ୟ ଟ୍ରମ୍ପ ସ୍ୱୀକାର କରିଛନ୍ତି। ତେବେ ତାଙ୍କ ମତରେ, ଫ୍ରାନ୍ସର ବର୍ତ୍ତମାନର ଅଶାନ୍ତିର ମୂଳ କାରଣ ହେଉଛି ଅଭିବାସନ। ଅନ୍ୟପକ୍ଷରେ, ଫ୍ରାନ୍ସର ରାଜନୈତିକ ଆଲୋଚନାରେ ଶକ୍ତି ସଙ୍କଟ ଏବଂ ଆମେରିକାର ନୀତିର ବ୍ୟାପକ ଭୂ-ରାଜନୈତିକ ପ୍ରଭାବ ଭଳି ପ୍ରସଙ୍ଗ ମଧ୍ୟ ଫ୍ରାନ୍ସ ଅଶାନ୍ତିର କାରଣ ବୋଲି ରିପୋର୍ଟରେ ଦାବି କରାଯାଇଛି । ତେବେ ଫ୍ରାନ୍ସର ଅଶାନ୍ତିକୁ ନେଇ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆମେରିକା ଓ ୟୁରୋପ ମଧ୍ୟରେ ଅଭିବାସନ ନୀତିକୁ ନେଇ ରହିଥିବା ମତଭେଦକୁ ପୁଣି ସାମ୍ନାକୁ ଆଣିଛି।

