ନବରଙ୍ଗପୁର: ଭୋକ ହେଲେ ଖାଉଛି ନହେଲେ ନାହିଁ । ଖାଲିଟାରେ ଆକାଶକୁ ଚାହିଁ ବସୁଛି ତ ବସୁଛି । ଯାହାକୁ ଦେଖୁଛି ମାରିବାକୁ ଗୋଡଉଛି । ଗାଁରେ ଅନେକ ଲୋକଙ୍କୁ ଟେକା ପଥର ମାରି ଲହୁଲୁହାଣ ବି କରି ସାରିଲାଣି । ଏସବୁ ଦେଖି ବାପା ବା ଆଉ କେତେ ସହିଥାନ୍ତେ । ଶେଷରେ ଉପାୟ ନପାଇ ପୁଅର ହାତଗୋଡରେ ବେଡି ପକେଇଦେଲେ । ଏବେ ପୁଅ ଅନ୍ଧାର ଘର ଭିତରେ ପଡିରହିଛି । ପୁଅ ପାଗଳାମୀର ଚିକିତ୍ସା କରିବାକୁ ଅର୍ଥ ସାଜିଛି ବାଧକ । ଏ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କୋଇଗୁଡା ଗ୍ରାମରେ ରହୁଥିବା ସନିଆ ଅମାନାତ୍ୟଙ୍କ ପୁଅ ପଦଲାମ ଅମାନାତ୍ୟର କାହାଣୀ । ଯେ ଦିନେ ପରିବାରର ବୋଝକୁ ନିଜ କାନ୍ଧରେ ବହୁଥିଲା ସେ ଆଜି ତା ପରିବାର ପାଇଁ ବୋଝ ପାଲଟିଯାଇଛି ।
ଏ ହେଉଛନ୍ତି ପଦଲାମ ଅମାନାତ୍ୟ । ବୃତ୍ତିରେ ଥିଲେ ଜଣେ ରାଜମିସ୍ତ୍ରୀ । ଯେଉଁ ହାତ ଦିନେ ନିର୍ଜୀବ ପଥର ବାଲିରେ ଜୀବନ୍ତ ରୁପ ଭରି ଦେଉଥିଲା ଆଜି ସେହି ହାତଗୋଡ଼ରେ ବନ୍ଧା ହୋଇଛି ଶିଙ୍ଖୁଳି । ପଦଲାମ ରାଜମିସ୍ତ୍ରୀ କାମକରି ପତ୍ନୀ, ଦୁଇ ପୁଅଝିଅ ବାପା,ମାଆ ଓ ଭାଇଭଉଣୀଙ୍କ ସହ ସାଧାରଣ ଜୀବନ ବିତାଉଥିଲେ । କିନ୍ତୁ ୪ ମାସ ତଳେ ଅଚାନକ ପଦଲାମ ଅମନାତ୍ୟ ମାନସିକ ବିକାରଗସ୍ତ ହୋଇପଡ଼ିଲେ । ପାଗଳ ହୋଇ ଗାଁ ଦାଣ୍ଡରେ ଘୁରି ବୁଲିଲେ । ଯାହାକୁ ଦେଖିଲେ ତାକୁ ପଥର ମାରିଲେ । ଦିନ ରାତି ଯେତେବେଳେ ପାଇଲେ ମନଇଚ୍ଛା କେଉଁଆଡେ ଚାଲିଗଲେ । ଏପରିକି ଘରେ କବାଟ ଦେଇ ରଖିଲେ ମଧ୍ୟ କାନ୍ଥ ଭାଙ୍ଗି ଚାଲିଯାଉଥିଲେ । ଶେଷରେ ଅତିଷ୍ଠ ହୋଇ ପଦଲାମର ହାତ ଓ ଗୋଡ଼ରେ ଶିଙ୍ଖୁଳି ବାନ୍ଧି ରଖିଲେ ପରିବାର ଲୋକେ ।
ସେପଟେ ମାନସିକ ବିକାରଗ୍ରସ୍ତ ସ୍ୱାମୀକୁ ଛାଡି ପତ୍ନୀ ମଣିମା ତାଙ୍କ ପୁଅ ଓ ଝିଅଙ୍କୁ ଧରି ନିଜ ବାପଘରକୁ ଚାଲିଗଲେ । ଅପରପକ୍ଷରେ ବୁଢ଼ାବାପା ସନିଆ କାମଧନ୍ଦା ଛାଡ଼ି ପୁଅକୁ ଜଗି ରହିଲେ । ଏପରି ପରିସ୍ଥିତିରେ ଘରେ ଚୁଲି ଜଳିବା ବର୍ତ୍ତମାନ କାଠିକର ପାଠ ହୋଇଯାଇଛି । ସନିଆଙ୍କ ୨୭ ବର୍ଷର ସାନପୁଅ ବୁଦୁ ଅମନାତ୍ୟ ତିନିବର୍ଷ ତଳେ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଛି ଯେ ତାହାର ଅଜିଯାଏଁ କୌଣସି ଖୋଜ ଖବର ନାହିଁ । ଏପରିକି ସେ ମୃତ କି ଜୀବିତ ଏହାର ଖବର ବି ପରିବାର ପାଖରେ ନାହିଁ । ଖଣ୍ଡିକ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଲିଖିତ ଅଭିଯୋଗ କରି ନୟାନ୍ତ ହେଲେଣି ସନିଆ । କିନ୍ତୁ ସରକାରଙ୍କ ତରଫରୁ କୌଣସି ସାହାର୍ଯ୍ୟ ମିଳିପାରିନାହିଁ । ପଦଲାମଙ୍କ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଆର୍ଥିକ ସହାୟତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବା ପାଇଁ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
Comments are closed.