ଅଷ୍ଟ୍ରେଲିଆକୁ କାହିଁକି ବାରମ୍ବାର ବିଶ୍ୱବିଜେତା ହୋଇଥାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ଏହାର ଜ୍ୱଳନ୍ତ ଉଦାହରଣ । ହଁ ମୁଁ ପାରିବି…ଏହି ରଣନୀତିକୁ ସର୍ବଦା ଅଷ୍ଟ୍ରେଲିଆର ଖେଳାଳିମାନେ ବିଶ୍ୱାସ କରନ୍ତି । ୯୨ ରନରେ ୭ଟି ୱିକେଟ ହରାଇଥିବା ଟିମ ୨୯୨ ରନର ଲକ୍ଷ୍ୟ ହାସଲ କରିନେବ ସହଜରେ ବିଶ୍ୱାସ କରି ହେଉ ନାହିଁ । ଧୀମା ପିଚରେ ଟର୍ଣ୍ଣ କରୁଥିବା ବୋଲିଂରେ ଏହା ଏତେ ସହଜ ନୁହେଁ । ମ୍ୟାକ୍ସୱେଲ ଯାହା କଲେ ତାହା ମାକ୍ସିମମ ହେଇଗଲା । ବୋଧହୁଏ ଏହାର ପୁୂନରାବୃତି ଘଟିବା ଏତେଟା ସହଜ ନୁହେଁ । ଜଣେ ଖେଳାଳି ଭାବେ ପଡିଆରେ ୫୦ ଓଭରା କାଟିବ ଏବଂ ବୋଲିଂ କରିବା ପରେ ପୁନର୍ବାର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ଜିତିବା ଅବିଶ୍ୱସନୀୟ, ଅକଳ୍ପନୀୟ ଓ ଅଦ୍ଭୁତ ।
ମ୍ୟାକ୍ସୱେଲ ଓ ପ୍ୟାଟ କୁମିନ୍ସ ୪୦ ବର୍ଷ ତଳେ ଭାରତର କପିଳ ଦେବ ଓ ସୟେଦ କିରମାନୀଙ୍କ ୮ମ ୱିକେଟ ପାର୍ଟନରଶିପ ରେକର୍ଡକୁ ଭଙ୍ଗ କରିଛନ୍ତି । ଜିମ୍ବାୱେ ବିପକ୍ଷରେ କପିଳ ଦେବଙ୍କ ୧୭୫(ନଟଆଉଟ) ଇନିଂସ ପରେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା । ଅନେକ ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟ ତଥା ବିଶ୍ୱକପରେ ବଡ ଇନିଂସ ଖେଳିଛନ୍ତି ସତ ମାତ୍ର ମ୍ୟାକ୍ସୱେଲଙ୍କ ଇନିଂସ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ତାଙ୍କ ଇନିଂସ ବଳରେ କ୍ରମାଗତ ୨ଟି ମ୍ୟାଚ ହାରିଥିବା ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି ।
ବିଶ୍ୱକପରେ ଏବେ ବି ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କ ନାମରେ ରହିଛି । ସେ ୨୦୧୫ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୨୩୭ ରନର ଇନିଂସ ଖେଳିଥିଲେ । ୧୯୮୭ରେ ୱେଷ୍ଟଇଣ୍ଡିଜର ଭିଭିଆଚ ରିଚାର୍ଡ୍ସ ଇଂଲଣ୍ଡ ବିରୋଧରେ ୧୮୯ ରନର ଅପରାଜିତ ଇନିଂସ ଖେଳିଥିଲେ । ସେ ଦଳର ୬୯.୪୮ ପ୍ରତିଶତ ସ୍କୋର ଏକାକୀ ସଂଗ୍ରହ କରିଥିଲେ । ମ୍ୟାକ୍ସୱେଲ ଏହି ରେକର୍ଡ ଭାଙ୍ଗିପାରି ନ ଥିଲେ ମଧ୍ୟ ଦଳର ୬୮.୬୦ ପ୍ରତିଶତ ସ୍କୋର ସଂଗ୍ରହ କରିଥିଲେ ।
ଚାପଭରା ପରିସ୍ଥିତିରେ ମ୍ୟାକ୍ସୱେଲ ଖେଳିବା ଏବଂ ମଶଲ୍ସ କ୍ରାମ୍ପ ସହ ଲଢ଼େଇ କରି ଏକାକୀ ଜିତାଇବା ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଛି । ବିନା ଫୁଟୱର୍କ ଏବଂ କ୍ରିଜରେ ପ୍ରାୟତଃ ନ ଦୌଡିବା ସତ୍ୱେ ସେ ମାରି ଚାଲିଥିଲେ ଛକା ଆଉ ଚୌକା । ଆଉ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ଧୈର୍ଯ୍ୟଭରା ବ୍ୟାଟିଂ ଏବଂ ମ୍ୟାକ୍ସୱେଲଙ୍କୁ ଉତ୍ସାହିତ କରିବା ଉଭୟଙ୍କ ଦୃଢ଼ ମାନସିକତାକୁ ଦର୍ଶାଉଥିଲା । ସେମାନେ ଅସମ୍ଭବକୁ ସମ୍ଭବ କରି ଯୁବ ପିଢ଼ୀ ପାଇଁ ନୂତନ ଆଦର୍ଶ ସାଜିଛନ୍ତି । ଚେଜରେ ସେ ପ୍ରଥମ ଖେଳାଳି ଭାବେ ଦ୍ୱିଶତକ ହାସଲ କରିଛନ୍ତି ।
ଏବେ ତାଙ୍କ ମଶଲ୍ସ କ୍ରାମ୍ପ କେତେ ଗୁରୁତର ଅଛି ଏବଂ ସେ ଆଗାମୀ ମ୍ୟାଚରେ ଫିଟ ହୋଇଥିବେ କି ନାହିଁ ତାହା ଭିନ୍ନ କଥା । ମାତ୍ର ସେ ଯେଉଁ ଇନିଂସ ଖେଳିଲେ ତାହା କ୍ରିକେଟପ୍ରେମୀଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । କିଛି ଦିନ ତଳେ ମାନସିକ ଚାପ ନେଇ ମ୍ୟାକ୍ସୱେଲ କ୍ରିକେଟ ପ୍ରତି ବିମୁଖ ହୋଇଥିଲେ । ବହୁତ ବୁଝା ଶୁଝା ପରେ ସେ ପ୍ରତ୍ୟାବର୍ତନ କରିଥିଲେ । ସେବେଠାରୁ ସେ ଏକ ଭିନ୍ନ ମ୍ୟାକ୍ସୱେଲ ହୋଇ ଯାଇଛନ୍ତି । କ୍ରିକେଟକୁ ଦୂରେଇ ଯିବା ପାଇଁ ଚିନ୍ତା କରୁଥିବା ଖେଳାଳି ଯଦି ତାଙ୍କ ଜୀବନର ଶ୍ରେଷ୍ଠ ଇନିଂସ ଖେଳେ ତାହାଠାରୁ ବଡ କଥା ଆଉ କଣ ହୋଇପାରେ ।
Comments are closed.