Latest Odisha News

ବିଜେଡି ଉପରେ ଜୋରଦାର ବର୍ଷିଲା ବିଜେପି; କହିଲା-ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡସେଟ ପାଇଁ ବ୍ୟାପୁଛି ଅରାଜକତା

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛି ବିଜେପି । ଓଡ଼ିଶାକୁ ଲ ଲେସ୍ ନେସ ରାଜ୍ୟ ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡ ସେଟ ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି । ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ କେହି ବୁଝାଇଲେ ଶୁଣିବାକୁ ପସ୍ତୁତ ନୁହଁନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜ୍ୟରେ ଅରାଜକତା କାୟା ବିସ୍ତାର କରିବାରେ ଲାଗିଛି । ଏମିତି କଡା ଭାଷାରେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ।

ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି । ଏମାନେ ସମସ୍ତେ ଶାସକ ବିଜୁ ଜନତା ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି । ଏମାନଙ୍କ ନେତୃତ୍ୱ ନେଉଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ । ସେମାନଙ୍କ ବିରୁଦ୍ଧରେ ୧୨୦-ବି ଅପରାଧିକ ଷଡଯନ୍ତ୍ର, ୩୦୭-ହତ୍ୟା ଉଦ୍ୟମ, ୩୯୫-ଡକାୟତି, ୪୫୫-ବେଆଇନ ଭାବେ ଗୃହରେ ପ୍ରବେଶ ଭଳି ସଙ୍ଗୀନ ଦଫା ଲାଗିଛି ।

ସିସିଟିଭି ଫୁଟେଜ ସହ ଅନେକ ଫଟୋ ଚିତ୍ରର ସବୁ ପ୍ରମାଣ ଥାଇ ବି ମାତ୍ର ୧୦୨ଜଣଙ୍କ ନାଁରେ ପୋଲିସ ମାମଲାରେ ରୁଜୁ କରିଛି ଏବଂ ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଓ କାହା ଚାପରେ ଗିରଫ କରାଯାଉନାହିଁ ? ପୋଲିସର ଶକ୍ତିକୁ କିଏ ଓ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଇଛି ? ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏ ଘଟଣା ସଂପର୍କରେ କିଛି ଜାଣିନଥିବାର କହି ହାତ ଟେକି ବସିଛନ୍ତି କାହିଁକି ? ବାହୁବଳୀ ବିଧାୟକ ସୁଶାନ୍ତ ସିଂହ କଣ ଆଇନର ଉର୍ଦ୍ଧ୍ୱରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଗଂଜେଇ ଚାଲାଣ ହେଉଥିବାର ଗୁଇନ୍ଦା ବିଭାଗରୁ ସୁଚନା ପାଇ ଆମ୍ବାଭୋନା ପୋଲିସ ରେଡ୍ ପାଇଁ ଯାଇଥିବାବେଳେ ଅଭିଯୁକ୍ତମାନେ ବାଧା ସୃଷ୍ଟି କରିଥିଲେ ଏବଂ ୨ ଘଂଟା ପରେ ସଂଘବଦ୍ଧ ହୋଇ ଥାନାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଥାନାଧିକାରୀ ଆଦିବାସୀ ବର୍ଗର ହୋଇଥିବାରୁ ତାଙ୍କୁ ଆକ୍ଷେପ କରି ଗାଳିଗୁଲଜ ଓ ଧମକ୍ ଦେବାକୁ ପଛାଇନାହାନ୍ତି ସୁଶାନ୍ତ ସିଂହ ଓ ତାଙ୍କ ଟିମ୍ । ଦୀର୍ଘ ସମୟ ଧରି ଥାନାରେ ଆତଙ୍କରାଜ ଚଲାଇଥିବା ଏହି ବିଜେଡି ଗୁଣ୍ଡାମାନଙ୍କ କାର୍ଯ୍ୟକଳାପ କୈାଣସି ଗୁଣରେ ମାଓକାର୍ଯ୍ୟକଳାପଠୁଁ କମ୍ ନଥିଲା ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଇବା ପାଇଁ ‘ପୋଲିସ ସଂଘ’ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଥିଲେ । ଏ ଆଦିବାସୀ ଏସ୍‌ଆଇ ପୋଲିସ ସଂଘର ସଦସ୍ୟ ନୁହନ୍ତି କି ? ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ପୋଲିସ ସଂଘ ଗଲା କୁଆଡେ? କାହିଁକି ମୁହଁ ଲୁଚାଇଛି ପୋଲିସ ସଂଘ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟ୍ ସହଯୋଗୀକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଆଜି ନିଜ ଦଳର ବିଧାୟକ, ନେତାଙ୍କ ପାଇଁ ତାଙ୍କୁ ସୁରକ୍ଷା ଦେଉଥିବା ପୋଲିସ ବିଭାଗ ନିଜକୁ ଅସୁରକ୍ଷିତ ମଣୁଛି । ରାଜ୍ୟକୁ ଅରାଜକତା କବଳରୁ ମୁକ୍ତି ଦିଅନ୍ତୁ । ତୁରନ୍ତ ଷଡଯନ୍ତ୍ରକାରୀ ଭଟଲୀ ବିଧାୟକଙ୍କ ସମେତ ସମସ୍ତ ଅପରାଧିକୁ ଗିରଫ କରିବା ପାଇଁ ଗୃହବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଯଦି ନକରନ୍ତି ତାହାଲେ ଗୃହବିଭାଗ ଛାଡନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.