Latest Odisha News

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ କରାଯାଏ । ଏହି ପର୍ବକୁ ଅନେକ ଶ୍ରଦ୍ଧାରେ ଆଲୋକର ଉତ୍ସବ, ଆଲୋକର ପର୍ବ , ଦିୱାଲି ବୋଲି କହିଥାନ୍ତି । ବିଶେଷ କରି ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମାବଲମ୍ବୀ ଏହାକୁ ପାଳନ କରନ୍ତି । ଘରକୁ ବିଭିନ୍ନ ଅଲୋକମାଳାରେ ସଜାଇବା, ବାଣ ଫୁଟାଇବା, ମିଠା ଓ ଉପହାର ବାଣ୍ଟି ଆନନ୍ଦ ସହିତ ଏହି ପର୍ବ ପାଳନ କରାଯାଏ ।

କିମ୍ବଦନ୍ତୀ ଅନୁସାରେ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଲୋକାକ୍ତିରେ ପୟାଅମାବାସ୍ୟା ବା ପୟାଶ୍ରାଦ୍ଧ ଦିବସ କୁହାଯାଏ । ଅନେକ ଶ୍ରୀକ୍ଷେତ୍ରର ବାଇଶି ପାହାଚରେ ପିଣ୍ଡଦାନ କରି ପିତୃଗଣଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି । “ପିତୃ ଲୋକଂ ପରିତାଜ୍ୟ / ଆଗତା ଯେ ମହାଳୟେ / ଇଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ / ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।” ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଡାକନ୍ତି- ” ବଡ଼ବଡୁଆ ହୋ /ଅନ୍ଧାରରେ ଆସ ଆଲୁଅରେ ଯା’/ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ /ବାଇଶି ପାବଛେ ଗଡ଼ଗଡାଉ ଥା’ ।”
ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ କୃଷିଭିତ୍ତିକ ବିଧି । ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ଫସଲର ପୋକ ନିୟନ୍ତ୍ରଣ ପାଇଁ ପାଳନ ହେଉଥିଲା । ଓଡ଼ିଶା ଧାନ ଚାଷରେ ସମୃଦ୍ଧ ଥିଲା । ଏହାର ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ଗବେଷକମାନେ ରୋଗପୋକ ଦମନ ପାଇଁ ଓଡ଼ିଆମାନେ ଯେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ମତ ଦିଅନ୍ତି । ‘ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ ।’ କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ପୋକ ଏତେ ପ୍ରବଳ ହୁଏ ଯେ ଘନ ରାତ୍ରୀରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆଲୋକ ପ୍ରତି ଆକୃଷ୍ଟ କରି ଦମନ କରାଯାଏ ।

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା’ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ସେହି ସବୁ ଅଞ୍ଚଳରେ ଏହା ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୋଇଥାଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜାର୍ଚ୍ଚନା କରାଯାଏ ।

ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧକରିବା ପରେ ମା’ ସୀତାଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ଅଯୋଧ୍ୟାର ପ୍ରଜାମାନେ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ନାନା ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ ହୋଇ ଆସୁଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନକୁ ବହୁ ଯାକଜମକରେ ପାଳନ କରନ୍ତି । ‘ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳ ଆଲୋକ ପ୍ରଜ୍ଜଳନ କରାଯାଇ ସେହି କାଳସର୍ପ ଦଂଶନର ଚକ୍ରାନ୍ତକୁ ପଣ୍ଡ କରାଯାଇଥିଲା ।

ପୁରାଣରେ ଉଲ୍ଲେଖ ଅଛି ଦୈତ୍ୟରାଜ ବଳିଙ୍କର ଦାନ ଧର୍ମ ଦେଖି ସ୍ୱର୍ଗର ଦେବତାମାନଙ୍କ ଭାଳେଣି ପଡ଼ିଗଲା । ବଳି ପୂଣ୍ୟ ଫଳରେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ତେଣୁ ଦେବତାମାନଙ୍କ ପ୍ରାର୍ଥନାରେ ବିଷ୍ଣୁ ବାମନ ଅବତାର ନେଇ ବଳିଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଅନ୍ୟ ଗୋଟିଏ ପାଦରେ ସ୍ୱର୍ଗ ଓ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପି ଦେଲେ । ତା’ ପରେ ବଳିଙ୍କ ପ୍ରାର୍ଥନା କରିବାରୁ ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦର୍ଶନ କରିବାକୁ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ବରଦାନ କରିଥିଲେ । ସେହି ଦିନଠାରୁ ମର୍ତ୍ତ୍ୟବାସୀ ଆନନ୍ଦରେ ଦୀପ ଜାଳି ଆଲୋକିତ କରନ୍ତି ।

ପୈାରାଣିକ ତଥ୍ୟାନୁସାରେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠି ସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରା ଆଣିବାକୁ ଯାଇ ଇନ୍ଦ୍ର ଓ ଦେବତାମାନେ ବାଧାଦେବାରୁ ଏକାକି ଶ୍ରୀକୃଷ୍ଣ ସମସ୍ତଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ବହୁ ଧନରତ୍ନ ଧରି ଏହି ଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପ ଆଲୋକରେ ଆଲୋକିତ କରି ବିଜୟ ଉତ୍ସବ ପାଳନ କରିଥିଲେ । ଅପରପକ୍ଷେ ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ ହେଉଛି ।

ଜୈନ ଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହି ଦିବସକୁ ପାଳନ କରିଥା’ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କ ପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କି’ଏ ଆଉ ଜ୍ଞାନାଲୋକ ଦେବେ, ଏହା ହିଁ ସେମାନେ ଚିନ୍ତାକଲେ । ଶେଷରେ ସେମାନେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେବେ ଠାରୁ ଦୀପାବଳି ଦିନ ଆଲୋକ ଜଳେଇବାର ପ୍ରଥା ଚାଲିଆସୁଛି । ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହି ଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣ ରଖିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଜୈନ ବ୍ୟବସାୟୀମାନେ ହିସାବ ଖାତା ଏବଂ ମୁଦ୍ରା ପୂଜା କରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ ।

ଇତିହାସରୁ ଜଣାଯାଏ ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କ ଦ୍ୱାରା ଶିଖ‌ ଧର୍ମର ଷଷ୍ଠ ଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢ ବିରୋଧ ଯୋଗୁଁ ଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତ କରିବା ନିମନ୍ତେ ସେତେବେଳେ ସ୍ୱର୍ଣ୍ଣ ମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହି ଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳନ କରି ଆସୁଛନ୍ତି ।

ଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା’ର ଅଗରେ ଶିକାରେ ଆକାଶ ପ୍ରଦୀପ ଜାଳିବା କଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ । ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳି ପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ସ୍ପଷ୍ଟ ହୁଏ । ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ରୂପେ ସେହି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ।

ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ମହାଯାକଯମକ ସହକାରେ ପାଳନ କରାଯାଇ ଆସୁଛି । ଯାହା ଫଳରେ ଏହା ହିନ୍ଦୁମାନଙ୍କ ଗଭୀର ଧର୍ମ ବିଶ୍ଵାସକୁ ଜାଗ୍ରତ କରି ରଖିଛି..!!!

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫
Email: Laxmansahoo9040@gmail.com

 

 

Comments are closed.