Latest Odisha News

ଲୋକବାଦ୍ୟକୁ ବଞ୍ଚାଇବାପାଇଁ କରାଯାଉଛି ପ୍ରସାର, ହେଲେ ବାଦ୍ୟ କାରୀଗରଙ୍କୁ ପଚାରେ ବା କିଏ…

ନୂଆପଡା: ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଞ୍ଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । ସରକାରୀ ପ୍ରୋତ୍ସାହନ ଅଭାବରୁ ଲୋକବାଦ୍ୟ କାରୀଗରମାନଙ୍କର  କୌଳିକ ବୃତ୍ତି  ଧିରେଧିରେ ଲୋପ ପାଇବାକୁ ଯାଉଛି । ହେଲେ ନୂଆପଡା ଜିଲ୍ଲାର ଭୁଲିଆସିକୁଆଁ, ଚିଚେର, ନିଲଜି, ହାରିବନ୍ଧା, ପୁଟୁପଡା ଭଳି ବିଭିନ୍ନ ଗାଁର ମୃଦଙ୍ଗ କାରିଗରର ପରିବାର ଏଇ ବୃତ୍ତ ବଞ୍ଚାଇ ରଖିଛନ୍ତି । ଢୋଲ, ନିଶାନ, ତାସା, ମୃଦଙ୍ଗ ପରି ବିଭିନ୍ନ କିସମର ବାଦ୍ୟ ପ୍ରସ୍ତୁତି କରୁଛନ୍ତି କାରୀଗରମାନେ ।

ଏହି ୫ଟି ଗାଁରେ ଥିବା ଦଳିତ ସମ୍ପ୍ରଦାୟର ପରିବାରଙ୍କ ମୁଖ୍ୟ ଜୀବିକା ତଥା କୌଳିକ ବୃତ୍ତି ହେଉଛି ବାଦ୍ୟଯନ୍ତ୍ର ତିଆରି  ।  ଭୁଲିଆସିକୁଆଁ ଗାଁର ୧୫ ରୁ ୨୦ ପରିବାର ଓ ଚିଚେର ଗାଁର କିଛି ପରିବାର ସହ ଜିଲ୍ଲାର ନିଲଜି, ହାରିବନ୍ଧା, ହାତିବନ୍ଧା ଗାଁର କିଛି ପରିବାର ତିଆରି କରୁଛନ୍ତି ପାରମ୍ପରିକ ବାଦ୍ୟଯନ୍ତ୍ର । ଏହି କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ କାରିଗରଙ୍କ ପ୍ରୟାସ ଅହରହ ଚାଲିଛି  । କାହିଁ କେଉଁ କାଳରୁ ପୂଜା ପାର୍ବଣରେ ଲୋକବାଦ୍ୟର ବ୍ୟବହାର କରାଯାଉଛି । କିନ୍ତୁ ଏହି ଲୋକବାଦ୍ୟ ତିଆରି କରୁଥିବା କାରିଗର ଏବେ ଅନ୍ଧାରରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତିକୁ ଆପଣାଇଥିବା କାରିଗରମାନେ ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି । ସକାଳୁ ସଂଞ୍ଜଯାଏ ସପରିବାର ପିଲାଠାରୁ ବୁଢା ଉଭୟ ମହିଳା ଓ ପୁରୁଷ ଏଇ କାମରେ ଲାଗିପଡନ୍ତି । ବାହାରୁ ମାଟିରୁ ପ୍ରସ୍ତୁତ ଝାଂଜ ଆଣି ତାଉପରେ ଚମଡାକୁ କାଟି ଏଇ ସବୁ ବାଦ୍ୟଯନ୍ତ ପ୍ରସ୍ତୁତି କରିଥାନ୍ତି । ଦିନକୁ ଦିନ ଚମଡା ମିଳୁନଥିବା ବେଳେ ଅନ୍ୟ ଜିଲ୍ଲାର ବଜାରରୁ ଚମଡା କିଣି ସେମାନେ ବାଦ୍ୟ ଯନ୍ତ୍ର ତିଆରି କରୁଛନ୍ତି । ଗୋଟିଏ  ବାଦ୍ୟଯନ୍ତ୍ର ତିଆରି କରିବାକୁ ୫ ରୁ ୭ ଦିନ ସମୟ ଲାଗୁଥିବାବେଳେ ପରିଶ୍ରମ ତୁଳନାରେ ଆବଶ୍ୟକ ଅର୍ଥ ମିଳୁନଥିବା କାରୀଗର ମାନେ କହିଛନ୍ତି ।

ବାଦ୍ୟ କାରୀଗରମାନଙ୍କ ପାଇଁ ଲୋକକଳା, ଲୋକସଂସ୍କୃତି, ଲୋକବାଦ୍ୟ  ବଞ୍ଚିପାରିଛି । ହେଲେ ସେହି ବାଦ୍ୟର କାରୀଗରମାନଙ୍କୁ ସେମାନଙ୍କୁ କୌଣସି ପ୍ରୋତ୍ସାହନ ସୁବିଧା ସୁଯୋଗ କିମ୍ବା ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ କେଉଁ ବାପଅଜା ଅମଳରୁ କରିଆସୁଥିବା ଏଇ କୌଳିକ ବୃତ୍ତି  ଦିନକି ଦିନ ପ୍ରୋତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି । ଲୋକ ସଂସ୍କୃତିକୁ ବଞ୍ଚାଇବା ଉଦ୍ଦେଶ୍ୟରେ କାମ କରୁଥିବା ଏହି ଲୋକ ବାଦ୍ୟ କାରିଗରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦିଆଗଲେ ସେମାନେ ଆଗକୁ ଆହୁରି ଉତ୍ସାହିତ ହେବାସହ ସେମାନଙ୍କ କୌଳିକ ବୃତ୍ତି ବଞ୍ଚିପାରନ୍ତା ।

Comments are closed.