Latest Odisha News

ଚାନ୍ଦବାଲି ବ୍ଲକ ଘେରାଉ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ଦୁର୍ନୀତି, ଭ୍ରଷ୍ଟାଚାରର ସୀମା ଅତିକ୍ରମ କରିଛି ବିଜେଡି

ଭୁବନେଶ୍ୱର / ଭଦ୍ରକ:ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଓଡିଶାବାସୀଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଅଭିଯୁକ୍ତମାନେ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । “ଅଣଓଡିଆ ଅଫିସର, ଠିକାଦାର, ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି । କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ହେଉଛନ୍ତି  । ଏମିତି କହି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି  ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମ ସୀମା ଅତିକ୍ରମ କରିସାରିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି ।

ଶ୍ରୀ ସାମଲ କହିଛନ୍ତି,  ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାରର ମୁଣ୍ଡ ଉପରେ ଛାତ ନାହିଁ । ଓଡ଼ିଶାର ଗରିବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର ।

ସେ କହିଛନ୍ତି,  ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ, ଜମି ଥିଲେ ବି ଓଡ଼ିଆ ଯୁବକ ବେକାର ହୋଇ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାରେ କୌଣସି ଶିଳ୍ପ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଏଯାଏଁ ହୋଇନାହିଁ । ଖଣି ଅଂଚଳ ପାଇଁ ସ୍ୱତନ୍ତ୍ର ଭାବେ ଥିବା ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଂଠି ବା ଡିଏମ୍‌ଏଫ୍ ପାଂଠି ଦୁର୍ନୀତିର ଗନ୍ତାଘର ସାଜିଛି । ପଂଚାୟତ, ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି ।  ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ୍ ଜବାବ ଦେବେ ଶ୍ରୀ ସାମଲ କହିଛନ୍ତି ।

ଦୀର୍ଘ ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମସୀମା ଅତିକ୍ରମ କରିସାରିଛି । ଯାହାକି ‘ବ୍ଲକ ଘେରାଓ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ଓ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପ ସଭାପତି କମଲାକାନ୍ତ ସୁତାର, ବରିଷ୍ଠ ନେତା ମୀନକେତନ ବିଶ୍ୱାଳ, କାହ୍ନୁଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ ।

Comments are closed.