Latest Odisha News

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା ପୋଲିସ କର୍ମଚାରୀ ଜଣକ ଥାନା ପରିସରରେ ଜଣେ ଭୋକିଲା ନବଜାତ ଶିଶୁକୁ ସ୍ତନ୍ୟପାନ କରାଇଛନ୍ତି । ଏହି ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ବିହାର ରାଜଧାନୀ ପାଟନାରେ ଏକ ପରିବାର ଦୀର୍ଘ ଦିନ ଧରି କେରଳରେ ରହି ଆସୁଥିଲେ । ପରିବାରର ମୁଖ୍ୟ କୌଣସି ଏକ ବିବାଦରେ ଫସି ଏବେ ଜେଲରେ ଅଛନ୍ତି । ତାଙ୍କର ପତ୍ନୀ ଏବଂ ଚାରିଜଣ ଛୋଟ ଛୋଟ ପିଲାଙ୍କ ଦେଖା ରଖା କରିବା ପାଇଁ କେହି ନ ଥିଲେ । ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୋଚି ଥାନାକୁ ଗୁରୁବାର ଅଣା ଯାଇଥିଲା ।

ହେଲେ ମହିଳାଙ୍କର ଦେହ ଖରାପ ଥିଲା ଏବଂ ହଠାତ ସେ ଗୁରୁତର ହୋଇପଡିଲେ । ତାଙ୍କୁ ତୁରନ୍ତ ଏର୍ନାକୁଲମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଗଲା ।

ଏପଟେ ଥାନାରେ ତିନି ବଡବଡ ଶିଶୁଙ୍କୁ ପୋଲିସ କର୍ମୀ ଖାଇବାକୁ ଦେବାର ବ୍ୟବସ୍ଥା କରିଥିଲେ । ହେଲେ ସେମାନଙ୍କ ମଧ୍ୟରେ ଥିବା ୯ ମାସର ଶିଶୁ ଭୋକରେ ବିକଳ ହୋଇ କାନ୍ଦୁଥିଲା । ଶିଶୁଟିକୁ କେମିତି କ’ଣ ଖାଇବାକୁ ଦେବେ କେହି ଜାଣି ପାରୁନ ଥିଲେ । ଏହି ସମୟରେ ଏମ.ଏ.ଆର୍ଯ୍ୟା ନାମ୍ନୀ ଜଣେ ମହିଳା ପୋଲିସ ପିଲାଟିର କାନ୍ଦ ସହି ପାରି ନ ଥିଲେ । ସେ ନିଜ କର୍ତ୍ତବ୍ୟରୁ ଊର୍ଦ୍ଧ୍ୱକୁ ଯାଇ ଶିଶୁଟିକୁ କୋଳକୁ ନେଇ ସ୍ତନ୍ୟପାନ କରାଇଥିଲେ ।

ସିଟି ପୋଲିସ ଏହି ମହିଳା ପୋଲିସ କର୍ମଚାରୀଙ୍କର ଭୂରି ପ୍ରଶଂସା କରିଛି । ଏହି ସମୟର ଫଟୋକୁ ମଧ୍ୟ ସେୟାର କରିଛି । ଏହି ଫଟୋ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି । ସମସ୍ତେ ମହିଳା ପୋଲିସଙ୍କର ଭୂରି ପ୍ରଶଂସା କରୁଛନ୍ତି ।

Comments are closed.