Latest Odisha News

BREAKING NEWS

ଭାଷା ଭାଗବତ : ବିବେକ’ ଏବେ ମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଚାଂଚଲ୍ୟକର ଏ ଖବର
ସର୍ବେ ଜାଣିବା ଦରକାର
‘ବିବେକ’ ହେଲା ଏବେ ମୃତ
ଏ ସତ୍ୟ ଲୋକେ ଜାଣଂତି ତ!

ଆଲୋକ ହେଲା ଅଂତର୍ହିତ
କେହି ନୁହଂତି ଶୋକଗ୍ରସ୍ତ
ଉଜ୍ଜ୍ବଳତାର ଅବସାନ
ଯୋଗୁଁ କେ ହୋଇନି ବିଷଣ୍ଣ

ଚେତାଉଥିଲା ଦିବା ନିଶି
ସଂସାରୁ ଗଲା ଏବେ ଖସି
ମହାଶୂନ୍ୟରେ ଗଲା ମିଶି
ଅତ୍ୟାନଂଦିତ ବିଶ୍ବବାସୀ

ଅଂଧକାରାଚ୍ଛନ୍ନ ଭୂଲୋକ
ହେଲାଣି ଭଲ ଭାବେ ଦେଖ
କିଛି ବି ନୁହେ ଦୃଶ୍ଯମାନ
ଅଟକି ରହିଛି ପବନ

ଶ୍ମଶାନ ଅଥବା କବର
ପଡ଼ିଲାନାହିଁ ଦରକାର
କେହି କଲେନି ସ୍ମୃତି ସଭା
ସେ ଥିଲା ପୋତା ଆଉ ଉଭା

ଏବେ ତ ହେଲାଣି ନିଶ୍ଚିହ୍ନ
କିଏ ଗାଇବ ତା’ର ଗୁଣ ?
କଲେ ବି ତାହାର ପ୍ରଶଂସା
ବଦଳିଯିବନି ଦୁର୍ଦଶା

ବୁଦ୍ଧି ଓ ଜ୍ଞାନ ବିଶୃଂଖଳ
ହେଲେ ମିଳିବ ବିଷଫଳ
ତାହାକୁ କେ ପାରିବ ଚାଖି
ଥରଟେ ପଚାରି ଅଛୁଁ କି ?

ବାଣୀରୁ ବାଣୀର ଉତ୍ପତ୍ତି
ଲାଭ ଅଳପ, ବେଶି କ୍ଷତି
ନୂତନ ଧାରା ପ୍ରବାହିତ
ଅନେକେ ଏବେ ସ୍ନାନରତ

ନର୍ଦମା ତୁଲ୍ୟ ଏହି ନଈ
କୂଳରେ ଲୋକେ ରୁଂଡ ହୋଇ
ବାଲି ପଠାରେ ବସି ବସି
ପାଆଂତି ନିରର୍ଥକ ଖୁସି

Comments are closed.