Latest Odisha News

BREAKING NEWS

ଏହି ୫ଜଣ ଖେଳାଳି ନିଶ୍ଚିତ ଆଗାମୀ ବିଶ୍ୱକପ ଖେଳିବେ !

ମୁମ୍ବାଇ: ଇଂଲଣ୍ଡରେ ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ । ଏହି କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ ୨୦୧୯ ମସିହା ମେ ୩୦ ତାରିଖରେ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାଡ଼ିୟମ ଓଭାଲରେ ଖେଳାଯିବ ।

ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନଅପ୍କୁ ନେଇ ଗଠିତ ଭାରତୀୟ କ୍ରିକେଟ ଦଳ ୧ ନଂ ଦାବିଦାର ଭାବେ ଏହି ବିଶ୍ୱକପର ଅବତୀର୍ଣ୍ଣ ହେବାକୁ ଯାଉଛି । ଭାରତ ଏହି ବିଶ୍ୱକପରେ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ଜୁନ ୫ରେ ଭେଟୁଥିବା ବେଳେ ଚିର ପ୍ରତିଦ୍ୱନ୍ଦୀ ପଡ଼ୋଶୀ ପାକିସ୍ତାନକୁ ଜୁନ ୧୬ ତାରିଖରେ ପ୍ରସିଦ୍ଧ ଓଲଡ଼ ଟ୍ରାଫର୍ଡ଼ ମାଞ୍ଚେଷ୍ଟରରେ ଟକ୍କର ଦେବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ହାସଲ ପାଇଁ ଭାରତକୁ କଡ୍ଡା ଟକ୍କର ଦେବାକୁ ଏବେଠାରୁ ଦଳକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଦୁର୍ଗକୁ କିପରି ସମ୍ମୁଖୀନ ହେବେ ତାହା ଏବେଠାରୁ ବିପକ୍ଷ ଦଳର ବୋଲର୍ ମାନଙ୍କ ଚିନ୍ତାର ବିଷୟ ପାଲଟିଛି । ତେବେ କେଉଁ ୫ଜଣ ଭାରତୀୟ ବ୍ୟାଟସମ୍ୟାନ ନିଶ୍ଚିତ ଏହି ବିଶ୍ୱକପ ଖେଳିବେ ତାହା ନେଇ ଏବେଠାରୁ ଭାରତୀୟ କ୍ରିକେଟ ଫ୍ୟାନମାନେ ଆକଳନ କରିବାରେ ଲାଗିଛନ୍ତି।

ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନଅପ୍ : ଭାରତୀୟ ବ୍ୟାଟିଂ

ଭାରତୀୟ କ୍ରିକେଟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଲାଇନଅପ ସାଙ୍ଗକୁ ଦୃଢ ଏବଂ ନିର୍ଭରଯୋଗ୍ୟ ଓପନରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ବିଶ୍ୱ କ୍ରିକେଟରେ ବେଶ୍ ଶକ୍ତିଶାଳୀ ।

ଭାରତୀୟ ଓପନରମାନେ ଲଗାତର ଭଲ ପ୍ରଦର୍ଶନ କରିବା ଫଳରେ ନିକଟ ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଜିତିପାରିଛି । ସଚିନ, ସୌରଭ, ଦ୍ରାଭିଡ଼ ଓ ସେହୱାଗଙ୍କ ପରେ ଏବେ ଓପନିଂ ଦାୟିତ୍ୱ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଉପରେ ନ୍ୟସ୍ତ ହୋଇଛି ।

କପ୍ତାନ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ଅଜିଙ୍କ୍ୟ ରାହାନେ ଓପନରଙ୍କ ପରେ ସମ୍ପୂର୍ଣ୍ଣ ରୂପେ ଦଳର ବ୍ୟାଟିଂ ବିଭାଗକୁ ସମ୍ଭାଳିବେ । ଏଥିରେ ସନ୍ଦେହ ନାହିଁ । ଏହି ୫ଜଣ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନଙ୍କ ଉପରେ ସମ୍ପୂର୍ଣ୍ଣ ମ୍ୟାଚ ନିର୍ଭର କରୁଛି । ତେଣୁ ଓପନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ସାଙ୍ଗକୁ ଅଧିନାୟକ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କ ବିଶ୍ୱକପ ଖେଳିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।

ରୋହିତ ଶର୍ମା: ଆକ୍ରମଣାତ୍ମକ ବ୍ୟାଟିଂ


ଟେଷ୍ଟ ମ୍ୟାଚ ହେଉକି ଟି-୨୦ କି ଏକ ଦୀବସୀୟ ମ୍ୟାଚ, ରୋହିତ ଥରେ ପିଚରେ ଜମିଗଲେ ଲାଗେ ତାଙ୍କଠୁ ଶତକଟେ ଥୟ । ବିଶ୍ୱର ପ୍ରସିଦ୍ଧ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ଭାରତକୁ ଏକାଧିକ ମ୍ୟାଚରେ ବୀଜୟୀ କରାଇଛନ୍ତି ରୋହିତ । ୧୮୦ଟି ଏକ ଦିବସୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି ରୋହିତଙ୍କ ପାଖରେ । ଏହି ଦିଲ୍ଲୀ ବ୍ୟାଟସମ୍ୟାନ ସର୍ବାଧିକ ୨୬୪ ରନ କରିବା ପରେ ସାରା ବିଶ୍ୱର ବୋଲରମାନେ ତାଙ୍କୁ ବଲ ପକାଇବା ପୂର୍ବରୁ ଅନେକ ଚିନ୍ତା କରିଥାନ୍ତି । ବିଶ୍ୱର ପ୍ରାୟ ସବୁ ଫାଷ୍ଟବୋଲରଙ୍କ ବୋଲିଂ ଆଭରେଜ ଖରାପ କରିଦେଇଥିବା ରୋହିତ ଶର୍ମାଙ୍କୁ ଓପନର ଭାବେ ଦଳ ନିଶ୍ଚିତ ଖେଳାଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଶିଖର ଧାୱନ: ନିର୍ଭରଯୋଗ୍ୟ ଓପନିଂ
୩୨ ବର୍ଷୀୟ ଶିଖର ଧାୱନଙ୍କୁ ବିପକ୍ଷ ଦଳର ବୋଲର ବଲ ପକାଇବାକୁ ଡ଼ରନ୍ତି । ସ୍ପିନର ହୁଅନ୍ତୁ ବା ଫାଷ୍ଟ ବୋଲର ଶିଖର ଧାୱନ କେବଳ ବଲ୍ କୁ ଲକ୍ଷ୍ୟକରି ନିର୍ଦ୍ଦୟ ପ୍ରହାର କରିଥାନ୍ତି । ପ୍ରଥମ ବଲରୁ ହିଁ ପ୍ରହାର ଆରମ୍ଭ କରିବା ଶିଖରଙ୍କ ଯେପରି ଏକ ଷ୍ଟାଇଲ୍ । ଏହି ଭାରତୀୟ ଷ୍ଟାଇଲିଷ୍ଟ ଓପନର ଜଣକ ଭାରତ ଲାଗି ୨୨ଟି ମ୍ୟାଚରୁ ୯୬୦ ରନ କରି ଚର୍ଚ୍ଚିତ ହୋଇପଡ଼ିଥିଲେ । ଭାରତ ଲାଗି ଶିଖର ୧୦୨ଟି ମ୍ୟାଚ ଖେଳି ୧୩ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସର୍ବାଧିକ ୧୩୭ରନ କରିଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ । ଦୀର୍ଘଦିନ ଧରି ଭଲ ପର୍ଫମାନ୍ସ ଦେଖାଇ ପାରି ଦଳରେ ନିଜକୁ ସବୁଦିନିଆ ଓପନର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଶିଖର ଧାୱନ ।

ବିରାଟ କୋହଲି: ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ
କପ୍ତାନ ବିରାଟ କୋହଲି କ୍ରିଜରେ ରହିଥିବା ବେଳେ ଲାଗେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ । ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହୋଇ ଥଣ୍ଡା ମିଜାଜରେ ବ୍ୟାଟିଂ ଆରମ୍ଭ କରି ଦରକାର ପଡ଼ିଲେ ବୋଲରଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପଛାନ୍ତି ନାହିଁ କୋହଲି । ବ୍ୟାଟିଂରେ ପ୍ରାୟ ସମସ୍ତ ବିଶ୍ୱ ରେକର୍ଡ଼କୁ ଭାଙ୍ଗି ଚାଲିଛନ୍ତି କୋହଲି । ଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ଼ ଭାଙ୍ଗିବା ପରେ ସଚିନ କହିଛନ୍ତି ତାଙ୍କୁ ପରବର୍ତ୍ତୀ ବିଶ୍ୱରେକର୍ଡ଼ରେ ମୂଲ୍ୟବାନ ସରପ୍ରାଇଜ ଉପହାର ଦେବେ । ୧୭୫ଟି ଦିନିକିଆ ମ୍ୟାଚ୍ ରେ କପ୍ତାନୀ କରିଛନ୍ତି କୋହଲି । ୨୯ ବର୍ଷ ବୟସ୍କ ଏହି ଯୁବ ବ୍ୟାଟସମ୍ୟାନଙ୍କ ରେକର୍ଡ଼ କହୁଛି ଏବେ ସେ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବ୍ୟାଟସମ୍ୟାନ । ବିରାଟ ୨୦୮ଟି ଦିନିକିଆ ଖେଳି ୩୫ଟି ଶତକ ଓ ୪୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୮୭ ରନ ବିରାଟଙ୍କ ସର୍ବାଧିକ ଦିନିକିଆ ସ୍କୋର । ବିଶ୍ୱକପରେ ଦଳର ଅଧିନାୟକତ୍ୱ ଦାୟିତ୍ୱ ହିଁ ବିରାଟଙ୍କ ହାତରେ ।

ମହେନ୍ଦ୍ର ସିଂ ଧୋନୀ: ମ୍ୟାଚ ଫିନିସିଂ ଅଭିଜ୍ଞତା
ହେଲିକପଟର୍ ସଟ ଲାଗି ବିଶ୍ୱକ୍ରିକେଟରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ଏହି ୱିକେଟରକ୍ଷକ କମ ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ । ଦଳକୁ ୧୫୮ଟି ଦିନିକିଆରେ ଅଧିନାୟକତ୍ୱ ଦେଇଥିବା ଧୁରନ୍ଧର ଧୋନୀ ଜଣେ ମ୍ୟାଚ ଫିନିସର୍ ଭାବେ ଦଳକୁ ଅନେକ ମ୍ୟାଚ ଓ ଟ୍ରଫି ଜିତାଇଛନ୍ତି । ତାଙ୍କର ଅଦ୍ଭୁତ ଫିଟନେସ ଲାଗି ଧୋନୀଙ୍କୁ ଦଳରେ ରହିବା ନିଶ୍ଚିତ ବୋଲି ଭାରତୀୟ କ୍ରିକେଟ କୋଚ ରବି ଶାସ୍ତ୍ରୀ କହିଛନ୍ତି । ଜଣେ ଅଭିଜ୍ଞ ଖେଳାଳି ଭାବେ ଭାରତ ଲାଗି ୩୧୮ଟି ଦିନିକିଆ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଧୂରୀଣ ଧୋନୀ । ୧୦ଟି ଦିନିକିଆ ଶତକ ସହିତ ୬୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଅପରାଜିତ ରହି ୧୮୩ ରନର ସର୍ବାଧିକ ଦିନିକିଆ ସ୍କୋର କରିଛନ୍ତି ସେ । ଜଣେ ଦକ୍ଷ ୱିକେଟ ରକ୍ଷକ ଭାବେ ବିଶ୍ୱରେ ୧ ନଂ ସ୍ଥାନ ହାସଲ କରିଛନ୍ତି ମହେନ୍ଦ୍ର ସିଂ । ତେଣୁ ଦକ୍ଷ ୱିକେଟ କିପିଂ ସାଙ୍ଗକୁ ଧୁଆଁଧାର ବ୍ୟାଟିଂ କରୁଥିବା ଏହି କ୍ରିକେଟ ମହାରଥିଙ୍କୁ ୨୦୧୯ ବିଶ୍ୱକପରେ ନିଶ୍ଚିତ ଦେଖିବାକୁ ମିଳିବ ।

ଅଜିଙ୍କ୍ୟ ରାହାନେ: ବେଷ୍ଟ ମିଡ଼ିଲ ଅର୍ଡ଼ର ବ୍ୟାଟିଂ
ମୁମ୍ବାଇର ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ଜଣେ ଭଲ ମିଡ଼ିଲ ଅର୍ଡ଼ର ବ୍ୟାଟସମ୍ୟାନ ରୂପେ ପରିଗଣିତ କରାଯାଇଥାଏ । ରାହୁଳ ଦ୍ରାବିଡ଼ଙ୍କ ସ୍ଥାନ ଦଖଲ କରିଛନ୍ତି ରାହାଣେ । ଅବଶ୍ୟ କିଛି ମ୍ୟାଚରେ ଆଶାନୁରୁପକ ପ୍ରଦର୍ଶନ ନଦେଖାଇବାରୁ ସବୁଦିନିଆ ଦଳରେ ରହିବା ସମ୍ଭବ ହୋଇ ପାରିନି । ତେବେ ରାହାଣେ ଗତ କିଛି ମ୍ୟାଚରେ ନିର୍ଭରଯୋଗ୍ୟ ବ୍ୟାଟିଂ କରିବା ଫଳରେ ତାଙ୍କୁ ନିଶ୍ଚିତ ଦଳରେ ରଖାଯିବ ବୋଲି କ୍ରିକେଟ ବିଶାରଦ ମାନେ କହିଛନ୍ତି । ରାହାଣେ ଦଳ ଲାଗି ୮୪ଟି ଦିନିକିଆରେ ୨,୮୩୨ ରନ କରି ୩ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୧୧ରନର ସର୍ବାଧିକ ଦିନିକିଆ ସ୍କୋର କରିଛନ୍ତି ରାହାଣେ । ତେବେ ଅନେକ ମ୍ୟାଚରେ ଓପନିଂ କରିଥିବା ଦୃଷ୍ଟିରୁ ରାହାଣେଙ୍କୁ ଜଣେ ରିଜର୍ଭ ଓପନର ଭାବେ ଦଳରେ ନିଆଯାଇପାରେ ।

Leave A Reply

Your email address will not be published.