Latest Odisha News

ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

ଜଙ୍ଗଲ ଦେଇ ଯାଉଥିବା ସ୍ଥାନୀୟ ବାସିନ୍ଦା ଶିଶୁଟିର ଚିତ୍କାର ଶୁଣି ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ। ପରେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଟିମ୍ ନିୟୋଜିତ ହୋଇଛନ୍ତି।

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ରେଙ୍ଗାଲି ଥାନା ଆଇଆଇସି ସୁଦର୍ଶନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୩ଟି ଜେସିବି ମେସିନ୍ ବୋରଓ୍ବେଲ ପାଇପ୍ରୁ ପ୍ରାୟ ଏକ ଫୁଟ୍ ସମାନ୍ତରାଳ ଭାବେ ଖୋଳାଯାଇ ପ୍ରବେଶ ପଥ ସୃଷ୍ଟି କରାଯାଇଥିଲା। ଜରୁରୀକାଳୀନ ଚିକିତ୍ସା ଉପକରଣରେ ସଜ୍ଜିତ ଏକ ଆମ୍ବୁଲାନ୍ସ ମଧ୍ୟ ନିକଟରେ ଛିଡ଼ା ହୋଇଥିଲା।

ଶିଶୁଟିର ନିଶ୍ୱାସ ପ୍ରଶ୍ୱାସରେ ସହାୟତା କରିବା ପାଇଁ ପାଇପରେ ଅକ୍ସିଜେନ୍ ଭର୍ତ୍ତି କରାଯାଇଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ଏକ ଲୋକେସନ କ୍ୟାମେରା ବୋରଓ୍ବେଲ ଭିତରେ ଶିଶୁଟିର ସଠିକ୍ ସ୍ଥାନକୁ ଠାବ କରିବାରେ ସାହାଯ୍ୟ କରିଥିଲା।

ପ୍ରାୟ ୨୫ ଫୁଟ୍ ଗଭୀରରେ ପହଞ୍ଚିବା ପରେ ଉଦ୍ଧାରକାରୀ ଦଳ ଅତି ସତର୍କତାର ସହ ବିଦ୍ୟୁତ୍ କଟର ଓ ପରେ ଏକ ହାତ ଆରି ସାହାଯ୍ୟରେ ବୋରଓ୍ୱେଲ ପାଇପକୁ କାଟି ଦେଇଥିଲେ। ସନ୍ଧ୍ୟା ହେବା ମାତ୍ରେ ଶିଶୁଟିକୁ ଉଷ୍ମତା ପ୍ରଦାନ କରିବା ଏବଂ ଉଦ୍ଧାରକାରୀଙ୍କୁ ଆଶ୍ୱସନା ଦେବା ପାଇଁ ୧୦୦ ଓ୍ୱାଟର ଏକ ବିଦ୍ୟୁତ୍ ବଲ୍ବକୁ ପାଇପରେ ତଳକୁ ନିଆଯାଇଥିଲା।

ପ୍ରାୟ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ବୋରଓ୍ବେଲ ଶିଶୁଟିକୁ ସଫଳତାର ସହ ବାହାର କରିଥିଲେ। ଶିଶୁଟିକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇ ତା’ର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ଶିଶୁଟିର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ମୁଖ୍ୟମନ୍ତ୍ରୀ ଓଡ୍ରାଫ, ଅଗ୍ନିଶମ ବିଭାଗ, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଚିକିତ୍ସା ସେବାର ସମର୍ପିତ ଟିମଙ୍କୁ ସୋମାନଙ୍କ ସମନ୍ୱିତ ଏବଂ ପ୍ରଶଂସନୀୟ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ।

Comments are closed.