Latest Odisha News

୧୩ଟି ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି, ୫୯ଟି ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ e-megalift App ର ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ କହିଥିଲେ ଯେ ଆଜି ଜଳସମ୍ପଦ ବିଭାଗ ତଥା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଢିପ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଆମର ଏହି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି। ଏ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କର ଢିପ ଜମିରେ ଜଳସେଚନ ଠିକ୍ ଭାବରେ ହୋଇ ଜୀବନଧାରଣ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିଛି।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗଦେଇଥିଲେ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର ।

 

Comments are closed.