Latest Odisha News

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।

ଠକେଇର ଶିକାର ହୋଇ ଥିବା ବ୍ୟକ୍ତି ପୁରୀ ଜିଲ୍ଲା ଗୋଡିଶାଗଡା ଥାନା ଅଲିବାଗ ଗ୍ରାମର ରାଜେଶ ପଲେଇ। ଉମରକୋଟ ଥାନା ଏକମ୍ୱା ଗ୍ରାମର ପଲ୍ଲବ ନାମକ ଜଣେ ବ୍ୟକ୍ତି ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇଥିଲେ। ଏହା ସୁନା ବୋଲି କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଚାହୁଁଛି ବୋଲି କହିଥିଲେ। ରାଜେଶ ଏନେଇ ଘରେ ଜଣାଇବା ସହ ଏହାକୁ କିଣିବାକୁ ସ୍ଥିର କରିଥିଲେ। ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କିଣି ନେଇଥିଲେ। ଏହାକୁ ପରୀକ୍ଷା କରିବା ପରେ ତାହା ସୁନା ନୁହେଁ ବରଂ ଏହା ପିତ୍ତଳ ବୋଲି ଜଣା ପଡିଥିଲା। ଏହା ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଉମରକୋଟ ଶିବାଜି ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନା ଜାମଗୁଡ଼ାର ଗଣେଶ ପନକା, କୋଡ଼ିଙ୍ଗା ଥାନା ଆମ୍ବଗାଁର କ୍ରିଷ୍ଣା ପନକା, ଡାବୁଗାଁ ଥାନା ମାଝୀଗୁଡ଼ାର ହିରାସିଂ ହରିଜନ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କଠାରୁ ଦୁଇଟି ପିତ୍ତଳ ଶଙ୍ଖ, ୪୦ ହଜାର ଟଙ୍କା, ଗୋଟିଏ କାର, ଦୁଇଟି ଛୁରି, ୨ଟି ଲାଠି ଓ ୪ଟି ମୋବାଇଲ ଜବତ କରାଯାଇଛି ।

 

Comments are closed.