ବ୍ରହ୍ମପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ଛାରଖାର ହୋଇଗଲା ୩ଟି ଫଳ ଦୋକାନ। ବ୍ରହ୍ମପୁର ସହରର ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୨ଟା ବେଳେ ଜଳିଗଲା ୩ ଫଳ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।
ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହଠାତ୍ ଦୋକାନଗୁଡ଼ିକରେ ନିଆଁ ଲାଗିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଦେଖୁ ଦେଖୁ ତିନୋଟି ଫଳ ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଥିଲେ।
ତେବେ ନିଆଁର ତୀବ୍ରତା ଅଧିକ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଏଥିପାଇଁ ଆଉ ଏକ ଅଗ୍ନିଶମ ଟିମ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା । ବ୍ୟସ୍ତବହୁଳ ବିଜିପୁର ଭେଣ୍ଡିଂ ଜୋନରେ ଏଭଳି ଅଗ୍ନିକାଣ୍ଡ ଘଟିବା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ବିଦ୍ୟୁତ୍ ସଂଯୋଗ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।

